ବେଙ୍ଗାଲୁରୁ: କର୍ଣ୍ଣାଟକରେ କନ୍ନଡ଼ ଭାଷାର ବ୍ୟବହାର ନିଶ୍ଚିତ କରିବାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି। କର୍ଣ୍ଣାଟକ ରକ୍ଷଣା ବେଦିକେ ସଂଗଠନ ପକ୍ଷରୁ ବିଭିନ୍ନ ଦୋକାନବଜାର, ବସ୍ଷ୍ଟାଣ୍ଡ, ବିମାନବନ୍ଦର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇଂରାଜୀରେ ଲେଖାଯାଇଥିବା ନାମଫଳକ ଆଦିକୁ ଭଙ୍ଗାରୁଜା କରାଯାଇଛି। ସଂଗଠନ ପକ୍ଷରୁ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର, ଏମ୍ଜି ରୋଡ୍, ବ୍ରିଗେଡ୍ ରୋଡ୍, ଲାବେଲି ରୋଡ୍, ସେଣ୍ଟ୍ ମାର୍କସ ରୋଡ୍ରେ ଥିବା ନାମୀଦାମୀ ସୋରୁମ୍, ଦୋକାନ ଆଦିରେ ଭଙ୍ଗାରୁଜା କରିଛନ୍ତି।
ପ୍ରତିଷେଧମୂଳକ ବ୍ୟବସ୍ଥାରେ ପୁଲିସ ପକ୍ଷରୁ ସଂଖ୍ୟାଧିକ ବିଶୃଙ୍ଖଳାକାରୀ ଓ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ସଂଗଠନର ଆବାହକ ଟିଏ ନାରାୟଣ ଗୌଡ଼ା କହିଛନ୍ତି ଯେ ନିୟମ ଅନୁସାରେ ସମସ୍ତ ନାମଫଳକ ଓ ସୂଚନାଫଳକର ୬୦ ପ୍ରତିଶତ ଅଂଶ କନ୍ନଡ଼ରେ ଲେଖାଯିବା ଆବଶ୍ୟକ। ଯଦି କର୍ଣ୍ଣାଟକରେ ବ୍ୟବସାୟ କରୁଛନ୍ତି ତେବେ କନ୍ନଡ଼ ଭାଷାକୁ ସମ୍ମାନ ଦେବା ଆବଶ୍ୟକ। ବେଙ୍ଗାଲୁରୁ ପୌର ନିଗମର ମୁଖ୍ୟ ତୁଷାର ଗିରି ନାଥ କହିଛନ୍ତି ଯେ କନ୍ନଡ଼ ଭାଷାରେ ନାମ ଓ ସୂଚନା ଫଳକ ଲେଖିବାକୁ ଫେବ୍ରୁଆରୀ ୨୮ ଯାଏଁ ସମୟ ଦିଆଯାଇଛି।