ଜୟପୁର: ରାଜସ୍ଥାନର ଟଙ୍କ ଜିଲ୍ଲାରେ ଗତକାଲି ଉପନିର୍ବାଚନ ବେଳେ ଜଣେ ନିର୍ବାଚନ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଆଜି ରାଜସ୍ଥାନ ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନାଙ୍କୁ ଗିରଫ କରାଯାଇଛି। ଗତକାଲି ମୀନାଙ୍କୁ ପୁଲିସ ହେପାଜତକୁ ନେବାକୁ ଚେଷ୍ଟା କରିବାରୁ ତାଙ୍କ ଶତାଧିକ ସମର୍ଥକ ହିଂସାତ୍ମକ ପ୍ରତିବାଦ କରିବା ପରେ ଏହି ଗିରଫଦାରୀ ହୋଇଥିଲା। ମୀନାଙ୍କ ସମର୍ଥକମାନେ ଅନେକ ଗାଡିରେ ନିଆଁ ଲଗାଇବା ସହ ପଥର ମାଡ଼ କରିବାରୁ ଅଣାୟତ୍ତ ସ୍ଥିତି ଉପୁଜିଥିଲା। ପୁଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା।
ସୂଚନାଯୋଗ୍ୟ, ନରେଶ ମୀନାଙ୍କ ନାଁରେ ମୋଟ ୨୩ଟି ମାମଲା ରହିଥିବା ବେଳେ ସେଥିମଧ୍ୟରୁ ୫ଟିରେ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ରହିଛି। ସୂଚନାଯୋଗ୍ୟ, ଗତକାଲି ନିର୍ବାଚନ ପ୍ରକ୍ରିୟା ତଦାରଖ କରୁଥିବା ଏକ ପୋଲିଂ ବୁଥ୍ ବାହାରେ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ ଅମିତ ଚୌଧୁରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ମୀନାଙ୍କୁ ଗିରଫ କରିବାକୁ ପୁଲିସ ଉଦ୍ୟମ କରିବା ପରେ ବୁଧବାର ବିଳମ୍ବିତ ରାତିରେ ସମରଭାଟା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦଙ୍ଗାକାରୀମାନେ ଅଧିକାରୀଙ୍କ ଉପରକୁ ପଥର ଫିଙ୍ଗିବା ସହ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଅଜମେର ରେଞ୍ଜ ଆଇଜି ଓମ୍ ପ୍ରକାଶ କହିଛନ୍ତି ଯେ ହିଂସା ମାମଲାରେ ଅତି କମରେ ୬୦ ଜଣଙ୍କୁ ଗିରଫ କରାଯାଇଛି। ଦଙ୍ଗାକାରୀମାନେ ପ୍ରାୟ ୨୪ଟି ବଡ଼ ଗାଡ଼ି ଓ ୪୮ଟି ମୋଟର ସାଇକେଲରେ ନିଆଁ ଲଗାଇଦେବା ସହ ଅନେକ ଘର ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ ଗୁରୁବାର ସକାଳେ ସ୍ପେସାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ୟୁନିଟ୍ କୁ ସର୍ଚ୍ଚ ଅପରେସନ୍ ଓ ଶୃଙ୍ଖଳା ଫେରାଇ ଆଣିବା ପାଇଁ ନିୟୋଜିତ କରାଯାଇଥିଲା।
ଉତ୍ତେଜନା ଲାଗି ରହିଥିବାରୁ ଅଧିକ ହିଂସାକୁ ରୋକିବା ପାଇଁ ଉକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ଏବଂ ଗତ ରାତିରେ ହୋଇଥିବା ହିଂସା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି। ରାଜସ୍ଥାନ ପ୍ରଶାସନିକ ସେବା ଅଧିକାରୀ ସଂଘ ଏସ୍ଡିଏମଙ୍କୁ ସମର୍ଥନ କରିବା ସହ ମୀନାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି।