ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛିନ୍ଦୱାରା ଜିଲ୍ଲାର ପରାସିଆ ତହସିଲରେ ବସବାସ କରୁଥିବା ପରିବାରକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି।  କାରଣ ଏହି ପରିବାରର ଲୋକ ଘରର ବିଧବା ବୋହୂଙ୍କ କନ୍ୟାଦାନ କରି ନୂଆଜୀବନର ଆରମ୍ଭ ପାଇଁ ଆର୍ଶୀବାଦ ଦେଇଛନ୍ତି।

Advertisment

ଏମିତି ଏକ ପ୍ରଶଂସନୀୟ ଘଟଣା ଶଙ୍କରଗଢ଼ରେ ଗତଶନିବାର ଘଟିଥିବା ଦେଖିବାକୁ ମିଳିଥିଲା। ଶଙ୍କରଗଢ଼ରେ ବସବାସ କରୁଥିବା ଦମ୍ପତି ମଙ୍ଗଲ ବାଭାରିଆ ଏବଂ ଆଶା ବାଭାରିଆଙ୍କ ପୁତ୍ର ଜୟ କିଶନ ବାଭାରିଆଙ୍କ ବିବାହ ରାକ୍ଷୀଙ୍କ ସହିତ ହୋଇଥିଲା। ବିବାହର ଏକବର୍ଷ ପରେ ଜୟକିଶନ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସ‌ାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କମ ବୟସରେ ରାକ୍ଷୀ ସ୍ବାମୀଙ୍କୁ ହରାଇ ବିଧବା ହେବାର ଦୃଶ୍ୟକୁ ଶାଶୂ ଓ ଶ୍ବଶୁର ଦେଖି ପାରିଲେ ନାହିଁ। କେମିତି ବ‌ୋହୂ ମୁଖରେ ପୁଣି ହସ ଫେରାଇବେ ସେ ଚିନ୍ତାରେ ସବୁବେଳେ ରହୁଥିଲେ।

ଏଭଳି ଚିନ୍ତା କରୁକରୁ ରାକ୍ଷୀଙ୍କ ଶ୍ବଶୁର ବୋହୂଙ୍କ ପରିବାରଲୋକଙ୍କ ସହ କଥା ହୋଇ ପୁନର୍ବାର  ବିବାହ କରାଇବା ପାଇଁ ସ୍ଥିର କରିଥିଲେ। ଏହାପରେ ରାକ୍ଷୀଙ୍କ ଶ୍ବଶୁର ପୁଅ ଖୋଜିବା ଆରମ୍ଭ କରିଥିଲେ। ବିଭିନ୍ନ ଲୋକଙ୍କୁ ‌ବୋହୂଙ୍କ ବିବାହ ପ୍ରସ୍ତାବ ଦେଇଥିଲେ।

ଏହି କ୍ରମରେ  ପରାସିଆରେ ରହୁଥିବା ଅଜୟ କୈଥବାସଙ୍କ ସହ ବୋହୂଙ୍କ ବିବାହ ପ୍ରସ୍ତାବ ପକାଇଥିଲେ ଶ୍ବଶୁର ମଙ୍ଗଲ ବାଭାରିଆ । ଅଜୟଙ୍କ ପରିବାର ଲୋକ ମଧ୍ୟ ବିଧବାରାକ୍ଷୀଙ୍କୁ ଗ୍ରହଣ କରିବାକୁ ରାଜି ହୋଇ ଯାଇଥିଲେ। ଏହାପରେ ଦୁଇ ପରିବାରର ନିଷ୍ପତ୍ତିକ୍ରମେ ଗ୍ରାମବାସୀଙ୍କ ଉପସ୍ଥିତିରେ ରାକ୍ଷୀ ଓ ଅଜୟଙ୍କ ବିବାହ ଗ୍ରାମ ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ସମ୍ପର୍ଣ୍ଣ ହୋଇଥିଲା।