ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଛନ୍ତି ଯେ ଜଣେ ମହିଳା କେବଳ ବୈବାହିକ ସମ୍ପର୍କ ଆଧାରରେ ତାଙ୍କ ସ୍ୱାମୀଙ୍କ ଆଧାର ଡାଟାକୁ ଏକତରଫା ଭାବେ ଆକ୍‌ସେସ୍ କରିପାରିବେ ନାହିଁ। ଜଷ୍ଟିସ୍ ଏସ୍ ସୁନୀଲ ଦତ୍ତ ଯାଦବ ଓ ଜଷ୍ଟିସ୍ ବିଜୟକୁମାର ଏ ପାଟିଲଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆଧାର କାର୍ଡଧାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ବିବାହ କ୍ଷୁଣ୍ଣ କରିପାରିବ ନାହିଁ। ପରିବାର ଅଦାଲତର ଭରଣପୋଷଣ ଆଦେଶ କାର୍ଯ୍ୟକାରୀ କରିବାରେ ଅସୁବିଧା ହେଉଥିବା ଦର୍ଶାଇ ହୁବାଲିର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଆଧାର ନମ୍ବର, ପଞ୍ଜୀକରଣ ବିବରଣୀ ଏବଂ ଫୋନ୍ ନମ୍ବର ଦାବି କରି କରିଥିବା ଆବେଦନର ଜବାବରେ କୋର୍ଟ ଏହି ରାୟ ଦେଇଛନ୍ତି।

Advertisment

ଏହି ଦମ୍ପତି ନଭେମ୍ବର ୨୦୦୫ରେ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ଝିଅ ଅଛି। ସମ୍ପର୍କରେ ଅସୁବିଧା ହେବା ପରେ ସେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲେ, ଯେଉଁଥିପାଇଁ ପରିବାର ଅଦାଲତ ତାଙ୍କୁ ଭରଣପୋଷଣ ବାବଦରେ ୧୦ ହଜାର ଟଙ୍କା ଏବଂ ଝିଅ ପାଇଁ ଅତିରିକ୍ତ ୫ ହଜାର ଟଙ୍କା ପ୍ରଦାନ କରିବାକୁ ସ୍ବାମୀଙ୍କୁ ଆଦେଶ ଦେଇଥିଲେ। ସ୍ୱାମୀ କେତେବେଳେ କେଉଁଠି ରହୁଛନ୍ତି ଜଣାପଡ଼ୁ ନ ଥିବାରୁ ପରିବାର ଅଦାଲତଙ୍କ ଆଦେଶ ଅନୁଯାୟୀ ଭରଣପୋଷଣ ପାଇବାରେ ଅସୁବିଧା ହେଉଥିଲା। ସହାୟତା ପାଇଁ ସେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ୨୦୨୧ ଫେବ୍ରୁଆରି ୨୫ରେ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା। ଆଧାର ଆଇନର ଧାରା ୩୩ ଅନୁଯାୟୀ ହାଇକୋର୍ଟ ବିଚାରପତିଙ୍କ ନିଷ୍ପତ୍ତିର ଆବଶ୍ୟକତା ରହିଥିବା ଦର୍ଶାଇ କର୍ତ୍ତୃପକ୍ଷ ଏହା ଖାରଜ କରିଦେଇଥିଲେ।

୨୦୨୩ ଫେବ୍ରୁଆରି ୮ତାରିଖରେ ସିଙ୍ଗଲ ବେଞ୍ଚରୁ ମହିଳାଙ୍କୁ ଅନୁକୂଳ ନିଷ୍ପତ୍ତି ମିଳିଥିଲା। ଏକକ ଖଣ୍ଡପୀଠ ୟୁଆଇଡିଏଆଇକୁ ସ୍ୱାମୀଙ୍କୁ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେବା ପରେ ଏଜେନ୍ସି ଏହାକୁ ବିରୋଧ କରିଥିଲା। ଏହାର ଜବାବରେ ଡିଭିଜନ ବେଞ୍ଚ ୟୁଆଇଡିଏଆଇକୁ ସ୍ୱାମୀଙ୍କ କଥା ହୋଇ ତା’ପରେ ଆର୍‌ଟିଆଇ ଆଇନ ଅଧୀନରେ ପତ୍ନୀଙ୍କ ଆବେଦନର ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଖଣ୍ଡପୀଠ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟକୁ ଉଲ୍ଲେଖ କରି କୌଣସି ତଥ୍ୟ ପ୍ରକାଶ କରିବା ପୂର୍ବରୁ ନିଜର ପକ୍ଷ ରଖିବାପାଇଁ ବ୍ୟକ୍ତିଙ୍କ ଅଧିକାର ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋର୍ଟ କହିଛନ୍ତି ଯେ ବିବାହ ଦ୍ୱାରା ଗୋପନୀୟତା ଅଧିକାର ବ୍ୟାହତ ହୁଏ ନାହିଁ। ହାଇକୋର୍ଟ ମାମଲାର ପୁନର୍ବିଚାର ପାଇଁ ଏହାକୁ ପୁଣି ଏକକ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି।