ବାପାଙ୍କ ଇଚ୍ଛା ପୂରଣ କର, ଦୁଷ୍କର୍ମର ଶିକାର ହେଉଥିବା ପତ୍ନୀଙ୍କୁ କିଛି ଏମିତି କହିଲେ ସ୍ୱାମୀ

ରାୟପୁର: ଛତିଶଗଡର ବିଲାସପୁର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଶ୍ୱଶୁର ତାଙ୍କ ବୋହୂ ସହିତ ଲଗାତାର ଶାରୀରିକ ସମ୍ପର୍କ ରଖୁଥିଲେ ଓ ଯେତେବେଳେ ମହିଳା ଜଣକ ଏବାବଦରେ ତାଙ୍କ ସ୍ୱାମୀଙ୍କୁ କହିଥିଲେ, ସେତେବେଳେ ସେ ପିତାଙ୍କ ପକ୍ଷ ନେଇ କହିଥିଲେ ଯେ ଯଦି ତାଙ୍କର ଇଚ୍ଛା ପୂରଣ ନହୁଏ ତେବେ ତାଙ୍କୁ ଘରୁ ବାହାର କରିଦିଆଯିବ | ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ଯେତେବେଳେ ମହିଳା ଜଣକ ପ୍ରତିବାଦ କରିଥିଲେ, ସେତେବେଳେ ତାଙ୍କୁ ଘରୁ ବାହାର କରିଦିଆଯାଇଥିଲା । ମହିଳାଙ୍କ ଅଭିଯୋଗ ପରେ ବାପା ଓ ପୁଅଙ୍କୁ ଗିରଫ କରାଯାଇଛି। ପବିତ୍ର ସମ୍ପର୍କରେ କଳଙ୍କ ସୃଷ୍ଟି କରୁଥିବା ଏହି ଘଟଣା ଛତିଶଗଡର ସିପାତ ପୁଲିସ ଷ୍ଟେସନ ଅଞ୍ଚଳ ବୋଲି ଜଣାପଡିଛି |

ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମହିଳା ଜଣକ ୬ ବର୍ଷ ପୂର୍ବେ ବିବାହ କରିଥିଲେ। ଏକ ବର୍ଷ ପୂର୍ବେ ମହିଳାଙ୍କ ସ୍ୱାମୀ ନଥିବାବେଳେ, ତାଙ୍କ ଶ୍ୱଶୁର ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏକଥା କାହାକୁ କହିଲେ ଘରୁ ବାହାର କରିଦେବାର ଧମକ ଦେଇଥିଲେ | ଯେଉଁଥିପାଇଁ ବୋହୂ ଜଣକ କାହାରିକୁ କିଛି କହିନଥିଲେ | ଏହାପରେ ଏକ ବର୍ଷ ଧରି ଲଗାତାର ଶ୍ୱଶୁର ବୋହୂଙ୍କୁ ଦୁଷ୍କର୍ମ କରିଥିଲେ |

ଯେତେବେଳେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଏ ବିଷୟରେ ଜଣାଇଥିଲେ ତାଙ୍କ ସ୍ୱାମୀ କହିଥିଲେ ଯେ ସେ ପିତାଙ୍କ ଇଚ୍ଛା ପୂରଣ କରିବା ଉଚିତ୍, ନଚେତ୍ ଏହା ଭଲ ହେବ ନାହିଁ | ଯେତେବେଳେ ମହିଳା ଜଣକ ଏହାକୁ ବିରୋଧ କରିଥିଲେ, ସେତେବେଳେ ତାଙ୍କୁ ଘରୁ ତଡି ଦିଆଯାଇଥିଲା। ଏହା ପରେ ମହିଳା ଜଣକ ତାଙ୍କ ଶ୍ୱଶୁର ଏବଂ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ | ଦୁଷ୍କର୍ମ ମାମଲାରେ ଶ୍ୱଶୁର ଏବଂ ଏହି ଅପରାଧରେ ସହଯୋଗ ପାଇଁ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର