ୟୁପି ମନ୍ତ୍ରୀଙ୍କ ବିରୋଧରେ ପତ୍ନୀଙ୍କ ଅଭିଯୋଗ: ସ୍ବାମୀ ନିର୍ଦ୍ଦୟ ଭାବେ ମାରୁଛନ୍ତି, ହତ୍ୟା ଧମକ ଦେଉଛନ୍ତି

ଯୋଗୀ, ମୋଦୀଙ୍କଠାରୁ ନ୍ୟାୟ ଦାବି କଲେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରରେ ମନ୍ତ୍ରୀ ଥିବା ବାବୁରାମ୍‌ ନିଶାଦଙ୍କ ବିରୋଧରେ ତାଙ୍କ ପତ୍ନୀ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ମନ୍ତ୍ରୀଙ୍କ ପତ୍ନୀ ନିତୁ ନିଶାଦ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କୁ ନିର୍ଦ୍ଦୟ ଭାବେ ମାରୁଛନ୍ତି ଏବଂ ଗୁଳି କରି ହତ୍ୟା କରିବା ପାଇଁ ଧମକ ଦେଉଛନ୍ତି। ସ୍ବାମୀ ଜଣେ ମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ସହ ନିଷ୍ଠୁର ବ୍ୟବହାର କରୁଛନ୍ତି ବୋଲି ନିତୁ ଆଜି ଏକ ଫେସବୁକ୍‌ ପୋଷ୍ଟ୍‌ରେ କହିଛନ୍ତି।

ନ୍ୟାୟ ପାଇଁ ନିତୁ ଉକ୍ତ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ନିତୁ କହିଛନ୍ତି, ବିବାହ ଦିନରୁ ତାଙ୍କ ସ୍ବାମୀ ତାଙ୍କୁ ମାରପିଟ୍‌ କରି ଆସୁଛନ୍ତି। କଥା କଥାକେ ତାଙ୍କୁ ଚାପୁଡ଼ା, ଗୋଇଠା ମାଡ଼ ହେଉଛି। ଏପରିକି ତାଙ୍କ ଉପରେ ପରିଶ୍ରା କରାଯାଉଛି ଏବଂ ତାଙ୍କ ବାପା, ଭାଇଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଛି । ସେ ଏନେଇ ବାରମ୍ବାର ପୁଲିସରେ ଅଭିଯୋଗ କରିବାକୁ ଚାହିଥିଲେ ମଧ୍ୟ ପାରିନାହାନ୍ତି, କାରଣ ତାଙ୍କ ସ୍ବାମୀ କ୍ଷମତାରେ ଥିବାରୁ ତାଙ୍କ କଥା କେହି ଶୁଣନ୍ତି ନାହିଁ। ଅନ୍ୟପକ୍ଷେ ମନ୍ତ୍ରୀ ବାବୁରାମ୍‌ କହିଛନ୍ତି ତାଙ୍କ ପତ୍ନୀ ପ୍ରବଳ ଅପବ୍ୟୟ କରନ୍ତି। ସବୁବେଳେ ସେ ଟଙ୍କା ଦାବି କରନ୍ତି ଏବଂ ଟଙ୍କାପାଇଁ ସେମାନଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୁଏ। ଏଥିପାଇଁ ସେ ମଧ୍ୟ ତାଙ୍କ ପତ୍ନୀଙ୍କଠାରୁ ଛାଡ଼ପତ୍ର ଚାହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର