ଅଯୋଧ୍ୟା : ଉତ୍ତରପ୍ରଦେଶର ଅଯୋଧ୍ୟାନିବାସୀ ଜାଗବୀର କୋରି ନିଜ ସ୍ତ୍ରୀ ପୂଜା ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ପୂଜା ଜଣେ ମୁସଲମାନ ଏବଂ ତାଙ୍କର ଅସଲ ନାମ ହାସିନା ବାନୋ। ନିଜ ଧର୍ମକୁ ଲୁଚେଇ ଏବଂ ନିଜକୁ ଜଣେ ଅନାଥ ବୋଲି କହି ୧୨ ବର୍ଷ ତଳେ ସେ ତାଙ୍କୁ ବିବାହ କରିଥିଲେ। ଏବେ ତାଙ୍କ ବାପଘର ପକ୍ଷରୁ ତାଙ୍କୁ ମୁସଲମାନ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି। ନ ହେଲେ ମୁଣ୍ଡକାଟ କରିବାକୁ ସେମାନେ ଧମକ ଦେଇଛନ୍ତି। ତାଙ୍କ ପୁଅକୁ ମଧ୍ୟ ସେମାନେ ଜବରଦସ୍ତ ଧର୍ମଗ୍ରହଣ ପାଇଁ ବାଧ୍ୟ କରୁଛନ୍ତି ବୋଲି କୋରି ଥାନାରେ ଅଭିଯୋଗ କରିଛନ୍ତି।
ଏହି ଘଟଣାଟି ଅଯୋଧ୍ୟାର ସାହନାବାଜପୁର ଅଞ୍ଚଳର ଏକ ‘ଲଭ୍ ଜିହାଦ’ ମାମଲା ପରି ଜଣାପଡ଼ୁଛି। ଜାଗବୀର କୋରି ତାଙ୍କ ସ୍ତ୍ରୀର ଧାର୍ମିକ ପରିଚୟ ପାଇଲା ପରେ ଦୁହିଙ୍କ ଭିତରେ ଝଗଡ଼ା ହୋଇଥିଲା ଏବଂ ପୂଜା ରାଗି ନିଜ ବାପଘରକୁ ପଳାଇଥିଲେ। ପରେ ସେ ଯେତେବେଳେ ଫେରିଲେ ତାଙ୍କର ପୁଅଝିଅଙ୍କ ମଧ୍ୟରୁ ପୁଅଟିର ସୁନ୍ତି କରାଯାଇଥିଲା। ସେ ଘଟଣା ବିଷୟରେ ଜାଣିଲା ପରେ ପୂଜାଙ୍କ ବାପଘର ଲୋକେ ତାଙ୍କୁ ମୁସଲମାନ ଧର୍ମ ଗ୍ରହଣ କର ନ ହେଲେ ତୁମକୁ ମାରିଦେବୁ ବୋଲି ନାସିର ନାମକ ଗୁଣ୍ଡା ମାଧ୍ୟମରେ ଧମକ ଦେଉଥିବା କୋରି ଅଭିଯୋଗ କରିଛନ୍ତି। ଉତ୍ତରପ୍ରଦେଶ ପୁଲିସ ବର୍ତ୍ତମାନ ନାସିରକୁ ଗିରଫ କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡ଼ିଛି।