ଝଗଡ଼ା କରିବାରୁ ପ୍ରେମିକ ସହ ମିଶି ସ୍ବାମୀର ଅପହରଣ କଲା ସ୍ତ୍ରୀ, ମାଡ ମାରିବା ପରେ କହିଲା…

ମୁମ୍ବାଇ: ଝଗଡ଼ା କରିବାରୁ ପ୍ରେମିକ ସହ ମିଶି ସ୍ବାମୀର ଅପହରଣ କଲା ସ୍ତ୍ରୀ। ଅପହରଣ ପରେ ରାଗ ସୁଝାଇବାକୁ ପ୍ରେମିକ ଓ ତା’ର କିଛି ବନ୍ଧୁଙ୍କ ସହ ମିଶି ସ୍ବାମୀକୁ ସ୍ତ୍ରୀ ମାଡ଼ ମାରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମହାରାଷ୍ଟ୍ରର ନାନ୍ଦେଡରେ ଘଟିଛି ଏଭଳି ଘଟଣା।

ସୂଚନା ମୁତାବକ, ଲାତୁର ଜିଲ୍ଲାର ଚାଚୁର ତହସିଲରେ ଥିବା ହାଟକରୱାଡିର ନିବାସୀ ଗୀତାଞ୍ଜଳି ହାକେଙ୍କ ବିବାହ ଭୋକର ତହସିଲର ପ୍ରକାଶ ଶ୍ରୀରାମଙ୍କ ସହ ହୋଇଥିଲା। ପ୍ରକାଶ ଜଣେ ଆୟକର ପରାମର୍ଶଦାତା। ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ମାସେ ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ ଝଗଡ଼ା ହେବାରୁ ସେବେଠାରୁ ଉଭୟ ଅଲଗା ରହୁଥିଲେ। ଏହି ସମୟରେ ଗୀତାଞ୍ଜଳି ପ୍ରେମିକ ବାଲାଜୀ ଯାଦବଙ୍କ ସହ ଷଡଯନ୍ତ୍ର କରି ତାଙ୍କ ସ୍ୱାମୀଙ୍କୁ ଅପହରଣ କରିଥିଲେ। ଦିଲୀପ ସିଂ ପାୱାର, ଅବତାର ସିଂ ରାମଗଡିଆ ଏବଂ ଅମୋଲ ବୁକତାରେ ନାମକ ଆଉ ତିନିଜଣ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସମସ୍ତେ ଏକାଠି ମିଶି ନ‌ାନ୍ଦେଡରୁ ପ୍ରକାଶଙ୍କୁ ଅପହରଣ କରିଥିଲେ। ଏହି ସମୟରେ ଗୀତାଞ୍ଜଳି, ତାଙ୍କ ପ୍ରେମିକ ଏବଂ ଅନ୍ୟ ୩ଜଣଙ୍କ ସହିତ ମିଶି ସ୍ୱାମୀଙ୍କୁ ମାଡ ମାରିଥିଲେ। ପରେ ଛାଡିବା ବଦଳରେ ୧ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ହେଲେ ୬୫ହଜାର ଦେଇ ବାକି ଟଙ୍କା ପରେ ଦେବି ବୋଲି କହିଥିଲେ ପ୍ରକାଶ। ଏହା ଶୁଣି ଗୀତାଞ୍ଜଳି ପ୍ରକାଶଙ୍କୁ ଛାଡ଼ି ଦେଇଥିଲେ। ସ୍ତ୍ରୀଙ୍କ କବଳରୁ ମୁକୁଳିବା ପରେ ପ୍ରକାଶ ସିଧାସଳଖ ପୁଲିସ ଷ୍ଟେସନ ଯାଇ ଏହାର ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏବେ ଅଭିଯୁକ୍ତଙ୍କୁ ୩ଦିନିଆ ପୁଲିସ ରିମାଣ୍ଡକୁ ପଠାଇଛନ୍ତି କୋର୍ଟ।

ସମ୍ବନ୍ଧିତ ଖବର