ସ୍ୱାମୀ ସହ ମିଶି ପ୍ରେମିକକୁ ୬ ଖଣ୍ଡ କରି କାଟିପକାଇଲା ପ୍ରେମିକା

ନାଳନ୍ଦା: ସ୍ୱାମୀ ସହ ମିଶି ପ୍ରେମିକକୁ ୬ ଖଣ୍ଡ କରି କାଟିପକାଇଲା ପ୍ରେମିକା | ବିହାରର ନାଳନ୍ଦାରେ ଜଣେ ଯୁବତୀ ତାଙ୍କ ସ୍ୱାମୀଙ୍କ ସହ ପ୍ରେମିକକୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରିଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ବାସ୍ତବରେ ୧୬ ନଭେମ୍ବର ରାତିରେ ମୃତ ଦେହର କିଛି ଖଣ୍ଡ ଏକ ଅଖା ଭିତରୁ ମିଳିଥିଲା ​​| ଆଉ ଏନେଇ ପୁଲିସ ତଦନ୍ତ କରିବା ପରେ ଆଜି ପୁଲିସ ଏବାବଦରେ ସମ୍ପୂର୍ଣ୍ଣ ସୂଚନା ଦେଇଛି | ପୁଲିସ କହିଛି ଯେ ଟଙ୍କା ବିବାଦକୁ ନେଇ ପ୍ରେମିକା ଜଣକ ପ୍ରେମିକକୁ ଘରକୁ ଡାକିଥିଲେ। ସେଠାରେ ତାଙ୍କ ସ୍ୱାମୀ ଏବଂ ଅନ୍ୟମାନେ ପ୍ରେମିକକୁ ହତ୍ୟା କରିଥିଲେ। ମୃତଦେହକୁ ଛଅ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫୋପାଡି ଦିଆଯାଇଥିଲା। ଶନିବାର ବିଳମ୍ବିତ ରାତିରେ ପାଟନାର ପୁନପୁନ ନଦୀରୁ ଯୁବକଙ୍କ ମୁଣ୍ଡ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଗୁରୁବାର ଦିନ ନୁରସରାୟ ପୁଲିସ ଷ୍ଟେସନ ଅନ୍ତର୍ଗତ ନାରୀ ଗାଁର ଚିଲ୍କା ନିକଟରେ ଏକ ଅଖାରୁ କିଛି ମାଂସ ଖଣ୍ଡ ମିଳିବା ପରେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଯେତେବେଳେ ଅଖା ଖୋଲିଥିଲା ସେଥିରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ କଟା ହାତ ଓ ଗୋଡ ମିଳିଥିଲା। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା। ତେବେ କଟା ହାତରେ ଥିବା ବ୍ରେସଲେଟରୁ ମୃତଦେହକୁ ପରିବାର ସଦସ୍ୟ ଚିହ୍ନଟ କରିଥିଲେ। ମୃତଦେହ ସିଲାଭ ପୁଲିସ ଷ୍ଟେସନର ନାନନ୍ଦ ଗ୍ରାମର ବିକାଶ କୁମାର ଚୌଧୁରୀଙ୍କର ଥିଲା। ଏହି ଘଟଣାକୁ ନେଇ ସିଲାଭ ପୁଲିସ ଷ୍ଟେସନ ଏବଂ ନୁରସରାୟ ପୁଲିସ ଷ୍ଟେସନ ପକ୍ଷରୁ ମିଳିତ ଭାବେ ତଦନ୍ତ କରାଯାଇଥିଲା | ଏହାପରେ ସନ୍ଦେହରେ ନୁରସରାୟ ପୁଲିସ ଏକ ଦମ୍ପତିଙ୍କୁ ଉଠାଇ ଆଣି ପଚରାଉଚୁରା କରିଥିଲା | ଆଉ ଏହି ଦମ୍ପତି ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲେ। ପୁଲିସ କହିଛି ଯେ ବିକାଶ କୁମାର ଚୌଧୁରୀ ଏବଂ ଜୟନ୍ତୀ(ଅଭିଯୁକ୍ତ) ପାଠ ପଢ଼ୁଥିବା ସମୟରେ ଉଭୟଙ୍କୁ ପ୍ରେମ କରୁଥିଲେ | ଏହା ସତ୍ତ୍ୱେ ଜୟନ୍ତୀଙ୍କର ବିବାହ ନୁରସରାୟ ପୁଲିସ ଷ୍ଟେସନ ଅନ୍ତର୍ଗତ ଭରାଖର୍ଡ ଗାଁର ରଂଜନ କୁମାରଙ୍କ ସହ ହୋଇଥିଲା |

ବିବାହ ପରେ ବି ଜୟନ୍ତୀ ଓ ବିକାଶଙ୍କର ପ୍ରେମ କାହାଣୀ ସରିନଥିଲା | ଜୟନ୍ତୀ, ବିକାଶଙ୍କ ପାଖରୁ କିଛି ଟଙ୍କା ଆଣିଥିଲେ | ଆଉ ଏହି ଟଙ୍କା ଫେରିପାଇବା ପାଇଁ ବିକାଶ ବାରମ୍ବାର ଜୟନ୍ତୀଙ୍କୁ କହୁଥିଲେ | ଆଉ ଏଥିରୁ ମୁକ୍ତି ପାଇବା ପାଇଁ ଜୟନ୍ତୀ ଯୋଜନା କରିଥିଲେ | ବିକାଶଙ୍କୁ କିଭଳି ରାସ୍ତାରୁ ହଟାଇ ହେବ ସେନେଇ ସ୍ୱାମୀଙ୍କ ସହ ମିଶି ଯୋଜନା କରିଥିଲେ | ୧୬ ନଭେମ୍ବର ସନ୍ଧ୍ୟାରେ ସେ ବିକାଶ କୁମାରଙ୍କୁ ଡକାଇଥିଲେ | ଆଉ ଜୟନ୍ତୀ ନିଜ ସ୍ୱାମୀଙ୍କ ସହ ମିଶି ବିକାଶଙ୍କୁ ହତ୍ୟା କରିଥିଲେ | ଏହାପରେ ବିକାଶଙ୍କ ମୃତଦେହକୁ ୬ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଦେଇଥିଲେ | ପୁଲିସ ଏବେ ଅଭିଯୁକ୍ତଙ୍କୁ ଗିରଫ କରିଛି |

ସମ୍ବନ୍ଧିତ ଖବର