ପୁଣେ: ଜନ୍ମଦିନ ପାଳନ ପାଇଁ ଦୁବାଇ ନେବାକୁ ମନା କରିବାରୁ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ନାକରେ ମୁଥ ମାରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ପୁଣେର ୱାନାବଡି ଅଞ୍ଚଳରେ ଥିବା ଏକ ଆବାସିକ ସୋସାଇଟିରେ ଥିବା ଦମ୍ପତିଙ୍କ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି। ନିର୍ମାଣ ଶିଳ୍ପର ବ୍ୟବସାୟୀ ନିଖିଳ ଖାନ୍ନା ୬ ବର୍ଷ ତଳେ ପତ୍ନୀ ରେଣୁକା (୩୮)ଙ୍କ ସହ ପ୍ରେମ ବିବାହ କରିଥିଲେ।
ୱାନାବଡ଼ି ଥାନାର ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଶୁକ୍ରବାର ଅପରାହ୍ଣରେ ଏହି ଘଟଣା ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ନିଖିଳ ରେଣୁକାଙ୍କୁ ଜନ୍ମଦିନ ପାଳନ କରିବା ପାଇଁ ଦୁବାଇ ନେଇ ନ ଥିଲେ ଏବଂ ତାଙ୍କ ଜନ୍ମଦିନ ଓ ବିବାହ ବାର୍ଷିକୀରେ ଦାମୀ ଉପହାର ଦେଇ ନ ଥିବାରୁ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କିଛି ସମ୍ପର୍କୀୟଙ୍କ ଜନ୍ମଦିନ ପାଳନ ପାଇଁ ରେଣୁକା ଦିଲ୍ଲୀ ଯିବାକୁ ଚାହୁଥିଲେ ବି ନିଖିଳ ସେଥିପାଇଁ ସହମତି ପ୍ରକାଶ କରି ନ ଥିଲେ। ସେଥିପାଇଁ ମଧ୍ୟ ରେଣୁକା ନିଖିଳଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଝଗଡ଼ା ସମୟରେ ରେଣୁକା ନିଖିଳଙ୍କ ନାକରେ ଏକ ମୁଥ ମାରିଥିଲେ। ଏତେ ଜୋରରେ ମୁଥ ମାରିଥିଲେ ଯେ ନିଖିଳଙ୍କ ନାକ ଓ କିଛି ଦାନ୍ତ ଭାଙ୍ଗି ଯାଇଥିଲା। ପ୍ରବଳ ରକ୍ତସ୍ରାବ ହେବାରୁ ନିଖିଳ ଚେତା ହରାଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ରେଣୁକାଙ୍କ ବିରୋଧରେ ଆଇପିସିର ଧାରା ୩୦୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ତାଙ୍କୁ ଗିରଫ କରିଛି।