ଚଉଠି ରାତିରେ ଖୋଲିଗଲା ପୋଲ, ଆଉ ତା ପରେ…

ଲଖନଉ: ୟୁପିର ଶାହାଜାହାନପୁର ଜିଲ୍ଲାର ପୁୱାନ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଠକିବା ଅଭିଯୋଗରେ ପୁଲିସ ତାଙ୍କ ସ୍ୱାମୀଙ୍କ ସମେତ ୭ଜଣଙ୍କୁ ଗିରଫ କରିଛି | ବରପକ୍ଷରୁ କନ୍ୟାଘରଠାରୁ ୧୦ ଲକ୍ଷ ଟଙ୍କା ଯୌତୁକ ନେବା ସହ ଠକିଥିବା ଅଭିଯୋଗରେ ପୁଲିସ ଏଫଆଇଆର ପଞ୍ଜୀକୃତ କରିଛି। ମିଳିଥିବା ସୂଚନା ମୁତାବକ ଶାହାଜାହାନପୁରର ଜଣେ ଯୁବତୀଙ୍କର ଜଣେ ଯୁବକଙ୍କ ସହ ବାହାଘର ହୋଇଥିଲା | ଯୁବତୀଙ୍କ ପରିବାର ପକ୍ଷରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ଯୌତୁକ ଦିଆଯାଇଥିଲା |

ବଡ ଧୂମଧାମରେ ବିବାହ ସମାପନ ହୋଇଥିବାବେଳେ ଚଉଠି ରାତିରେ ଯୁବତୀ ଜଣକ ଜାଣିପାରିଲେ ଯେ ତାଙ୍କ ସ୍ୱାମୀ ଜଣେ ନପୁଂସକ | ତେବେ ବିବାହ ପୂର୍ବରୁ ଏକଥା କାହିଁକି ଜାଣିନଥିଲେ ବୋଲି ଯୁବତୀ ଜଣକ ପ୍ରଶ୍ନ କରିଥିଲେ | ଯେତେବେଳେ ଏବାବଦରେ ବୋହୂ ଜଣକ ତାଙ୍କ ଶାଶୁ ଘରେ ଏବାବଦରେ କହିଥିଲେ, ତାଙ୍କ ଶ୍ୱଶୁର ଓ ଶାଶୁଙ୍କ ସହ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାଡ଼ ମାରିଥିଲେ |

ଆଉ କାହାକୁ ଏକଥା କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ | ତେବେ ଯୁବତୀ ଜଣକ ନିଜ ବାପଘରକୁ ଏବାବଦରେ କହିବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ | ଆଉ ପୁଲିସ ବର୍ତ୍ତମାନ ପ୍ରତାରଣା ସହ ନିର୍ଯାତନା ଅଭିଯୋଗରେ ଯୁବତୀଙ୍କ ଶାଶୁ, ଶ୍ୱଶୁରଙ୍କ ସହ ୭ ଜଣଙ୍କୁ ଗିରଫ କରିଛି |

ସମ୍ବନ୍ଧିତ ଖବର