ପତ୍ନୀ ପ୍ରଣୀତ୍ କୌର କାହିଁକି ବିଜେପିରେ ଯୋଗ ଦେଲେ ନାହିଁ? ପ୍ରଶ୍ନ ଶୁଣି ଏଭଳି ଉତ୍ତର ରଖିଲେ ଅମରିନ୍ଦର

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ବିଜେପିରେ ମିଶିଛନ୍ତି । ତାଙ୍କ ସହିତ ତାଙ୍କ ଝିଅ ଜୟ ଇନ୍ଦର କୌର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ହେଲେ ଝିଅ ସାଥ୍ ଦେଇଥିଲେ ବି ପତ୍ନୀ ପ୍ରଣୀତ୍ କୌର ବିଜେପିରେ ଯୋଗ ଦେଇନଥିବା ଦେଖାଯାଇଛି। ଏବିଷୟରେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଛନ୍ତି ଯେ, ଜରୁରୀ ନୁହେଁ ଯେ ସ୍ବାମୀ ଯାହା କରିବ, ସ୍ତ୍ରୀ ମଧ୍ୟ ତାହା ହିଁ କରିବ।

ତେବେ ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ କ୍ୟାପଟେନ ଆରମ୍ଭ କରିଥିବା ନୂଆ ଦଳ ପଂଜାବ ଲୋକ କଂଗ୍ରେସର ବିଲୟ ବିଜେପିରେ ହୋଇଛି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ଅମରିନ୍ଦର ବିଜେପିରେ ଯୋଗ ଦେଇଛନ୍ତି । ଲଣ୍ଡନରେ ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ଭାରତ ଫେରିଥିବା ଅମରିନ୍ଦର ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକାଧିକ ଥର ଭେଟିଥିଲେ । ଏହାକୁ ନେଇ ବିଜେପିରେ ତାଙ୍କର ମିଶ୍ରଣକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ।

ଅମରିନ୍ଦରଙ୍କ ପାଇଁ ଏକ ନୂଆ ଦଳ ଗଠନ କରି ଏକ ଜାତୀୟ ଦଳ ସହ ମିଶ୍ରଣ କରାଇବା ଏହା ଦ୍ବିତୀୟ ଘଟଣା । ୧୯୯୨ରେ ସେ ଅକାଳି ଦଳ ତ୍ୟାଗ କରି ଶିରୋମଣି ଅକାଳି ଦଳ (ପାନ୍ଥିକ) ଗଠନ କରିଥିଲେ । ତେବେ ଏହି ଦଳ ବିଧାନସଭା ନିର୍ବାଚନରେ କୌଣସି ସଫଳତା ହାସଲ କରିପାରନଥିଲା । ଫଳରେ ୧୯୯୮ରେ ସେ କଂଗ୍ରେସରେ ମିଶିବା ସହ ଏହି ଦଳର ବିଲୟ କଂଗ୍ରେସରେ ହୋଇଥିଲା । ଏଣୁ ପୁଣି ଏକ ନୂଆ ଦଳ ଗଠନ କରି ଏକ ଜାତୀୟ ଦଳ ବିଜେପିରେ ମିଶ୍ରଣ କରି କ୍ୟାପନେଟ ଇତିହାସକୁ ଦୋହରାଇଛନ୍ତି ।

ସମ୍ବନ୍ଧିତ ଖବର