‘ମୁଁ ମଲା ପରେ ମୋ ଚିତାରେ ମୁଖାଗ୍ନି ଦେବେ ନାହିଁ ସ୍ୱାମୀ’- ସୁଇସାଇଡ଼ ନୋଟରେ ଏଭଳି ଲେଖି ଆତ୍ମହତ୍ୟା କଲେ ପତ୍ନୀ

ଇନ୍ଦୋର:ସାତ ଜନମର ସାଥି ହେବାକୁ ଦିନେ ଶପଥ ଦେଇଥିବା ସ୍ୱାମୀଙ୍କର ନିର୍ଯ୍ୟାତନା ଏତେ ଅସହ୍ୟ ହେଲା ଯେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯିବାକୁ ନିଷ୍ପତ୍ତି ନେଲେ ପତ୍ନୀ | କେବଳ ଦୁନିଆ ଛାଡି ଚାଲିଗଲେନାହିଁ, ବରଂ ନିଜ ମୃତ୍ୟୁ ପୂର୍ବର ଶେଷ କଥା ବି କହିଦେଇଗଲେ | ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ସୁଇସାଈଡ଼ ନୋଟରେ ପତ୍ନୀ ଲେଖିଥିଲେ ଯେ ମୃତ୍ୟୁ ପରେ ସ୍ୱାମୀଙ୍କୁ ମୋ ମୃତଦେହ ଦେଖାଇବ ନାହିଁ କିମ୍ବା ଅନ୍ତିମ ସଂସ୍କାରରେ ସାମିଲ କରିବ ନାହିଁ |

ମଧ୍ୟପ୍ରଦେଶର ଇନ୍ଦୋରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଇନ୍ଦୋରର ଏରୋଡ୍ରମ ଅଂଚଳର ପ୍ୟାଲେସ କଲୋନୀରେ ରହୁଥିବା କଳ୍ପନା ନାମଦେବଙ୍କର ବିବାହ ପାଞ୍ଚ ବର୍ଷ ତଳେ ବିଦିସାରେ ରହୁଥିବା ନୀଲେସଙ୍କ ସହ ହୋଇଥିଲା | ବିବାହର କିଛି ମାସ ସବୁକିଛି ଠିକଠାକ ଚାଲିଥିବାବେଳେ ୪ ବର୍ଷ ହେଲା ସ୍ୱାମୀଙ୍କ ମୁଣ୍ଡରେ ଯୌତୁକ ରାକ୍ଷସ ସବାର ହୋଇଥିଲା | ବାପଘରୁ ଯୌତୁକ ତାଙ୍କ ଆଣିବାକୁ କହି କଳ୍ପନାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ | ଏହା ପରେ ଥାନାରେ ମାମଲା ପହଞ୍ଚିଥିଲା ଓ ଉଭୟ ସ୍ୱାମୀ-ସ୍ତ୍ରୀ ଅଲଗା ରହିଥିଲେ | ତେବେ ଏହା ପରେ ବି ସ୍ୱାମୀ ବାରମ୍ବାର ଫୋନ କରି କଳ୍ପନାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ |

ଆଉ ଏଥିରେ ଭାଙ୍ଗିପଡି କଳ୍ପନା ଶେଷରେ ଆତ୍ମହତ୍ୟାର ବାଟ ବାଛିନେଇଥିଲେ | କଳ୍ପନାଙ୍କ ଆତ୍ମହତ୍ୟା ପରେ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ସୁଇସାଈଡ଼ ନୋଟ ମଧ୍ୟ ଜବତ କରିଛି | ଏଥିରେ କଳ୍ପନା ଲେଖିଛନ୍ତି ଯେ,’ମୁଁ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଛି, ମୃତ୍ୟୁ ପରେ ସ୍ୱାମୀଙ୍କୁ ଶେଷ ଦର୍ଶନ କରିବାକୁ ଦେବ ନାହିଁ, ସ୍ୱାମୀଙ୍କୁ ମୋର ମୁଖାଗ୍ନି ଦେବାକୁ ଦେବନାହିଁ, ଟଙ୍କା ଯଦି ମଣିଷପଣିଆଠାରୁ ବଡ ହୋଇନଥାନ୍ତା ତେବେ କେତେ ଭଲ ହୋଇଥାନ୍ତା’ |

ସମ୍ବନ୍ଧିତ ଖବର