ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ପାଣିର ଗଭୀରତା ବିଷୟରେ ନଜାଣି ପାରି ବରଫ ନଦୀ‌କୁ ଡେଇଁ ପଡ଼ିବାରୁ  ତାଙ୍କର ମୃତ୍ୟୁ ହୋଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ବ୍ୟକ୍ତିଙ୍କ ନାମ ଅଲେକଜେଣ୍ଡର ବୋଲି ଜଣାପଡ଼ିଛି।

Advertisment

ସେ ଗତ ରବିବାର ଦିନ ୟୁକ୍ରେନର ନିପ୍ରୋପେଟ୍ରୋ ଅଞ୍ଚଳର ବରଫଯୁକ୍ତ ଚୋର୍ଟୋମେଲିକ୍ ନଦୀକୁ ଡେଇଁ ପଡୁଥିବା ସମୟରେ ତାଙ୍କ ପତ୍ନୀଙ୍କୁ ଏକ ଭିଡିଓ କରିବାକୁ କହିଥିଲେ। ଏହି ଷ୍ଟଣ୍ଟ ଅଲେକଜେଣ୍ଡଙ୍କ ପାଇଁ ଘାତକ ସାଜିଥିଲା। ତାଙ୍କୁ ଉକ୍ତ ସ୍ଥାନରୁ ବଞ୍ଚାଇବା ପାଇଁ ଅନେକ ଉଦ୍ୟମ କରାଯାଇଥିଲେ ହେଁ ସେ ବୁଡ଼ି ଯାଇଥିଲେ।

ପ୍ରାୟ -୫ ଡିଗ୍ରି ସେଲସିୟସ ତାପମାତ୍ରାରେ ଘଟିଥିବା ଘଟଣାର ଏକ ଦୃଦୟବିଦାରକ ଭିଡିଓରେ ଅଲେକଜେଣ୍ଡର ତାଙ୍କ ପତ୍ନୀଙ୍କ ସହ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଛି। ସ୍ତ୍ରୀ ସ୍ବାମୀଙ୍କ ଏଭଳି ଷ୍ଟଣ୍ଟ ମାରିବା ପୂର୍ବରୁ କହିଥିଲେ, ‘‘ତୁମେ ଭୟ କର ନାହଁ କି ସାନ୍ୟା (ଅଲେକଜେଣ୍ଡର)?’’

ସ୍ତ୍ରୀର ପ୍ରଶ୍ନର ଉତ୍ତର ଦେଇ ଅଲେକଜେଣ୍ଡର କହୁଛନ୍ତି, ନା ଭୟ କରୁ ନାହିଁ। ଏହା‌ପରେ ସ୍ତ୍ରୀ କହୁଛନ୍ତି, ‘ତୁମ ପାଦକୁ ଥଣ୍ଡା ଲାଗୁ ନାହିଁ। ମୋତେ ବହୁତ ଥଣ୍ଡା ଲାଗୁଛି। ମୁଁ ଆଶା କରୁଛି କି ତୁମର କୌଣସି ଅସୁବିଧା ନହେଉ।’

ସ୍ତ୍ରୀ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଅଲେକଜେଣ୍ଡର ବୁଡ଼ି ଯାଇଥିଲେ । ଆଉ କିଛି ସମୟ ମଧ୍ୟରେ ନଦୀର ମଇଳା ପାଣିରେ ଅଦୃଶ୍ୟ ହୋଇଯାଇଥିଲେ। ସ୍ତ୍ରୀ ସ୍ବାମୀଙ୍କ ଏଭଳି ଅବସ୍ଥା ଦେଖି ଭୟଭୀତ ହୋଇ ପାଖରେ ଠିଆ ହୋଇଥିବା ଲୋକଙ୍କଠାରୁ ସାହାଯ୍ୟ ମାଗିଥିଲେ ଆଉ କହିଥିଲେ  “ହେ ଭଗବାନ, ମୁଁ କଣ କରିବି ଜାଣି ପାରୁନାହିଁ। ମୁଁ ଉଦ୍ଧାରକାରୀଙ୍କୁ ଡାକିବି କି? " ତା’ପରେ ହିଁ ଡାକ ବୋଲି ଏକ ସ୍ବର ଶୁଣିବାକୁ ମିଳିଥିଲା।

ଅଲେକଜେଣ୍ଡଙ୍କ ବନ୍ଧୁ ଏକ ଶିକୁଳିରେ ବରଫରେ ଗାତ ଖୋଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଲେକଜେଣ୍ଡରଙ୍କୁ ବଞ୍ଚାଇବାରେ ବିଳମ୍ବ ହୋଇଯାଇଥିଲା।

ସ୍ଥାନୀୟ ଖବର ଅନୁଯାୟୀ, ଅଲେକଜେଣ୍ଡର ବରଫ ତଳେ ଫସିଯାଇ ବୁଡ଼ି ଯାଇଥିଲେ। ଉଦ୍ଧାରକାରୀମାନେ ଘଟଣା ଘଟିବାର ପରଦିନ ତାଙ୍କ ମୃତଦେହକୁ  ୧୩ଫୁଟ ଗଭୀରତାରୁ ଉଦ୍ଧାର କରିଥିଲେ।