ନୂଆଦିଲ୍ଲୀ: ଏପ୍ରିଲ ୩ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସୋମବାର ସିସୋଦିଆଙ୍କ ହେପାଜତ ଅବଧି ବଢ଼ାଇଥିଲେ ରାଉଜ୍ ଆଭେନ୍ୟୁ କୋର୍ଟ। ହେପାଜତ ଅବଧି ବଢ଼ିବା ପରେ ଆଜି ଜାମିନ ପାଇଁ ଆବେଦନ କରିଥିଲେ ସିସୋଦିଆ। ଆବେଦନରେ ସେ ପତ୍ନୀ ଅସୁସ୍ଥ ଥିବା କଥା ଲେଖିଥିଲେ।
ସିସୋଦିଆଙ୍କ ଓକିଲ ଦିଲ୍ଲୀ କୋର୍ଟକୁ କହିଥିଲେ ଯେ ତାଙ୍କ ପତ୍ନୀ ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଯତ୍ନ ନେବାକୁ କେହି ନାହାଁନ୍ତି। ପୁଅ ଏବେ ବିଦେଶରେ ପଢ଼ୁଥିବାରୁ ତାଙ୍କର ଯତ୍ନ ନେବା ସିସୋଦିଆଙ୍କ ଦାୟିତ୍ବ। ଓକିଲଙ୍କ ଯୁକ୍ତି ଶୁଣିବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଆବେଦନକୁ ବିରୋଧ କରିଥିଲା ସିବିଆଇ।
ସିବିଆଇ କୋର୍ଟକୁ କହିଥିଲା ଯେ, ସିସୋଦିଆ ଦିଲ୍ଲୀ ସରକାରରେ ଏତେ ଉଚ୍ଚ ପଦବୀରେ ଅଛନ୍ତି ଯେ ସେ ସହଜରେ ଏହି ମାମଲା ସହ ଜଡିତ ପ୍ରମାଣ ଲୁଚାଇ ପାରିବେ ବା ନଷ୍ଟ କରିପାରିବେ। ସିବିଆଇର ଏଭଳି ପକ୍ଷ ଶୁଣି ସିସୋଦିଆଙ୍କ ଓକିଲ କହିଥିଲେ, ମୋ ମହକିଲ ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ସିବିଆଇକୁ ତଦନ୍ତରେ ସହଯୋଗ କରିଛନ୍ତି ଏବଂ କୌଣସି ଅନୁସନ୍ଧାନରେ ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳି ନାହିଁ। ତେଣୁ ତାଙ୍କୁ ହେପାଜତରେ ରଖି ପଚରାଉଚରା କରିବା ଆଉ ଆବଶ୍ୟକ ନାହିଁ। ସିସୋଦିଆ ଦେଶ ଛାଡିବେ ନାହିଁ।
ଏହା ଶୁଣି ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଦେଶ ନଛାଡିଲେ ବି ଜାମିନ ମିଳିଲେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି ଏବଂ ଅନୁସନ୍ଧାନରେ ବାଧା ସୃଷ୍ଟି କରିପାରନ୍ତି। ତେବେ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏପର୍ଯ୍ୟନ୍ତ ରାୟ ଶୁଣାଇ ନଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/t-144.jpg)