ଚୋରି ଟଙ୍କାରେ ସ୍ୱାମୀ ନିର୍ମାଣ କଲେ ଗାଁ ରାସ୍ତା, ପଞ୍ଚାୟତ ନିର୍ବାଚନରେ ଜିତିଗଲେ ପତ୍ନୀ

ପାଟନା: ଯେତିକି ଟଙ୍କା ଚୋରି କରୁଥିଲେ, ସେତିକି ଟଙ୍କା ଗାଁର ବିକାଶରେ ଖର୍ଚ୍ଚ କରୁଥିଲେ | ଗାଁକୁ ରାସ୍ତା ଖଣ୍ଡେ ନଥିବାବେଳେ ଚୋରି ଟଙ୍କାରେ ଗାଁକୁ ପକ୍କା ରାସ୍ତା କରିଥିଲେ | କେବଳ ନିଜ ଗାଁ ନୁହେଁ ବରଂ ଆଖପାଖ ୭ଟି ଗାଁର ରାସ୍ତାକୁ ପକ୍କା କରିଥିଲେ କୁଖ୍ୟାତ ଡକାୟତ | ୧୨ଟି ରାଜ୍ୟର ପୁଲିସ ଖୋଜୁଥିବାରୁ ଗାଁକୁ ଆସୁନଥିଲେ ସତ କିନ୍ତୁ ବିଭିନ୍ନ ମାଧ୍ୟମରେ ରାସ୍ତା ନିର୍ମାଣ ପାଇଁ ୧ କୋଟି ଟଙ୍କା ପଠାଇଥିଲେ | ତାଙ୍କ ଟଙ୍କାରେ ପତ୍ନୀ ଗାଁର ବିକାଶ କଥା ବୁଝୁଥିଲେ, ଆଉ ଫଳସ୍ୱରୂପ ଆଜି ଡ଼କାୟତଙ୍କ ପତ୍ନୀ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଛନ୍ତି | ଲୋକଙ୍କ ବିଶ୍ୱାସ ଜିତିଛନ୍ତି, ଆଉ ସରକାରଙ୍କ ବିକାଶ ଅପେକ୍ଷା ଭୋଟର ଡ଼କାୟତଙ୍କ ବିକାଶ ମଡେଲକୁ ଅଧିକ ପସନ୍ଦ କରିଛନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଡ଼କାୟତଙ୍କ ବାବଦରେ କହିବୁ ଯାହାଙ୍କ ପତ୍ନୀ ଆଜି ବିହାରର ପଞ୍ଚାୟତ ନିର୍ବାଚନରେ ବିଜେତା ହୋଇଛନ୍ତି | ୧୧ ବର୍ଷ ପରେ ଗତକାଲି ଗାଜିଆବାଦ ପୁଲିସ ହାତରେ ଧରାପଡିଥିଲା କୁଖ୍ୟାତ ଡକାୟତ ଇରଫାନ୍ ଓରଫ ଉଜାଲେ |

ଉଜାଲେ ନାମରେ ବିଭିନ୍ନ ରାଜ୍ୟରେ ୨୦ରୁ ଅଧିକ ମାମଲା ପଞ୍ଜିକୃତ ହୋଇଥିଲା। ପୁଲିସ ତା ନିକଟରୁ କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଜବତ କରିଥିଲା । ତେବେ କିଛି ଦିନତଳେ ଇରଫାନଙ୍କ ପତ୍ନୀ ଏବଂ ଜଣେ ପ୍ରେମିକାଙ୍କ ସମେତ ପୁଲିସ ୧୧ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା | ଅବଶ୍ୟ ଇରଫାନଙ୍କ ପତ୍ନୀ ଜାମିନରେ ଖଲାସ ହୋଇ ବିହାରର ପୂପରି ଜିଲ୍ଲାପରିଷଦ ଆସନରୁ ନିର୍ବାଚନ ଲଢ଼ିଥିଲେ | ଆଉ ଆଜି ଫଳାଫଳ ଘୋଷଣା ହେବା ପରେ ସେ ବିଜୟୀ ହୋଇଥିବାର ଜଣାପଡିଛି | ଇରଫାନଙ୍କ କାହାଣୀ ମଧ୍ୟ ବହୁତ ରୋଚକ | ଗ୍ରାମବାସୀଙ୍କ କହିବା ମୁତାବକ ଇରଫାନ୍ ଏବଂ ତାଙ୍କ ପରିବାର ପୂର୍ବରୁ ଶ୍ରମିକ ଭାବରେ କାମ କରୁଥିଲେ | ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ କେବଳ ଗୋଟିଏ କୁଡ଼ିଆ ଥିଲା |

ଯେତେବେଳେ ସେ କାମ ପାଇଲେ ନାହିଁ, ଘର ଛାଡି ପଳାଇଯାଇଥିଲେ | ଘର ଛାଡି ସେ ଦେଶର ବିଭିନ୍ନ ସ୍ଥାନରେ ଚୋରି କରିବା ଆରମ୍ଭ କରିଥିଲେ | ପୁଲିସକୁ ଚକମା ଦେଇ ଚୋରି କରିଥିଲେ | କିଛି ଦିନ ପରେ ସେ ଗାଁକୁ ଆସି ରାସ୍ତା ନିର୍ମାଣ ସହ ଡ୍ରେନ ନିର୍ମାଣ କରାଇଥିଲେ | ଗାଁରେ ଯେଉଁ ପରିବାର ନିଜର ଝିଅ ବିବାହ କରିପାରୁନଥିଲେ ସେମାନଙ୍କୁ ସାହାଯ୍ୟ ସହ ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରୁଥିଲେ | ଆଉ ଯେତେବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା ସେତେବେଳେ ହିଁ ଗାଁ ଲୋକ ତାଙ୍କ ଚୋରି ବାବଦରେ ଜାଣିଥିଲେ | ସୂଚନା ଥାଉ କି ଇରଫାନ୍ ଦେଶର ବିଭିନ୍ନ ସହରଗୁଡିକର ବଡ ଘରକୁ ଟାର୍ଗେଟ୍ କରୁଥିଲେ | କାମର ବାହାନା କରି ଘରେ ପ୍ରବେଶ କରି ସେ ସୁନା ଅଳଙ୍କାର ଲୁଟିନେଉଥିଲେ |

ସମ୍ବନ୍ଧିତ ଖବର