ଜିଲ୍ଲାପାଳଙ୍କ ନାମରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଲେ ପତ୍ନୀ

ପାଟନା: ବିହାରରେ ଶିବହରର ଜିଲ୍ଲାପାଳ ସଜ୍ଜନ ରାଜଶେଖରଙ୍କ ନାମରେ ଅତ୍ୟାଚାର ଓ ଘରୋଇ ହିଂସା କରୁଥିବାର ଅଭିଯୋଗ କରିଛନ୍ତି ପତ୍ନୀ | ଜିଲ୍ଲାପାଳଙ୍କ ପତ୍ନୀ ମୁଜାଫରପୁର ମ୍ୟୁନିସିପାଲିଟି ପୁଲିସ ଷ୍ଟେସନରେ ଯୌତୁକ ନିର୍ଯାତନା ତଥା ଘରୋଇ ହିଂସା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଆଉ ଏହାକୁ ନେଇ ଥାନା ଅଧିକାରୀ ଓମପ୍ରକାଶ କହିଛନ୍ତି ଯେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ଏଫଆଇଆରରେ ଜିଲ୍ଲାପାଳଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଉଛନ୍ତି।

କେବଳ ଏତିକି ନୁହେଁ, ତାଙ୍କ ସ୍ୱାମୀ ବିଭିନ୍ନ କୌଶଳ ଅବଲମ୍ବନ କରି ତାଙ୍କୁ ପାଗଳ କରିବାକୁ ଚେଷ୍ଟା କରୁଛନ୍ତି। ମାର୍ଚ୍ଚ ମାସରେ ତାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ସହ ତିନି ବର୍ଷର ଝିଅକୁ ତାଙ୍କଠାରୁ ଅଲଗା କରିଦେଇଛନ୍ତି । ଜିଲ୍ଲାପାଳଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ପ୍ରାୟ ତିନିମାସ ପୂର୍ବେ ସେ ଏହି ଘଟଣାକୁ ନେଇ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ। କିନ୍ତୁ ନିଜ ପଦର ଅପବ୍ୟବହାର କରି ତାଙ୍କ ସ୍ୱାମୀ ଏହି ମାମଲାକୁ ଚାପି ଦେଇଥିଲେ ।

ଅନ୍ୟପଟେ ତାଙ୍କ ନାମରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଶିବହରର ଜିଲ୍ଲାପାଳ ସଜ୍ଜନ ରାଜଶେଖର କହିଛନ୍ତି। ତାଙ୍କ ପତ୍ନୀ ଟଙ୍କା ଚାହୁଁଛନ୍ତି, କିନ୍ତୁ, ସେ ଏକାଠି ରହିବାକୁ ଚାହାଁନ୍ତି ନାହିଁ | ପୂର୍ବରୁ ଏକ ଛାଡପତ୍ର ମାମଲା କୋର୍ଟରେ ପଞ୍ଜିକୃତ ହୋଇସାରିଛି। ଜିଲ୍ଲାପାଳ କହିଛନ୍ତି ଯେ ଗତ ଜୁନ ୧୫ ରେ ତାଙ୍କୁ ଶ୍ୱଶୁର ଘର ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏଥି ସହିତ, ଏକ ମିଥ୍ୟା ଯୌତୁକ ମାମଲା ରୁଜୁ କରାଯାଇଥିଲା |

ସମ୍ବନ୍ଧିତ ଖବର