ବେଜିଂ: ମାଙ୍କଡ଼ମାନଙ୍କ ନିକଟକୁ ଛୋଟ ପିଲାଙ୍କୁ ନେଇ ଯାଉଥିଲେ ସାବଧାନ୍‌ ରୁହନ୍ତୁ। ମାଙ୍କଡ଼ମାନେ କେବଳ ହାତରୁ ଫଳ ଛଡ଼ାଇବାରେ ନୁହେଁ, ବରଂ ପିଲା ଛଡ଼ାଇ ନେବାରେ ବି ଓସ୍ତାତ। ପୂର୍ବରୁ ମାଙ୍କଡ଼ମାନେ ଛୋଟ ପିଲାଙ୍କୁ ଟେକି ନେବାର ଅନେକ ଉଦାହାରଣ ରହିଥିବା ବେଳେ ଏବେ ପୁଣି ଥ‌ରେ ସମାନ ଘଟଣା ଦେଖିବାକୁ ମିଳିଛି।

Advertisment

ଡେଲି ଷ୍ଟାରରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଚୀନ୍‌ର ଦକ୍ଷିଣ-ପଶ୍ଚିମ ଗୁଇଜୋଉ ପ୍ରଦେଶରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏକ ୩ ବର୍ଷର ପିଲାକୁ ନିଜ ବାପାମାଆଙ୍କ ସମ୍ମୁଖରୁ ଟେକି ନେଇଛି ଏକ ମାଙ୍କଡ଼। କୁନି ଝିଅଟିର ବାପାମାଆ କ୍ଷେତରେ କାମ କରୁଥିବା ବେଳେ ମାଙ୍କଡ଼ ଆସି ପିଲାଟିକୁ ଟେକି ନେଇଥିବା ସୂଚନା ରହିଛି।

ମାଙ୍କଡ଼ ଆସି ପିଲାଟିକୁ ଟେକି ନେବା ପରେ ତା’ର ବାପାମାଆ ଚାରିଆଡ଼େ ଖୋଜି ମଧ୍ୟ ପାଇନଥିଲେ। ତା’ପରେ ସେମାନେ ପୁଲିସ୍‌ରେ ଖବର ଦେଇଥିଲେ। ପୁଲସ୍‌ ପାର୍ବତ୍ୟ ରାସ୍ତାରେ ଖୋଜା ଖେଜାଜି କରିବା ପରେ ଝିଅଟିକୁ ପାହାଡ କଡ଼ରେ ଥିବା ବୁଦା ଭିତରୁ ଉଦ୍ଧାର କରାଯାଇଥିଲା।

ତେବେ ଝିଅଟି ମିଳିବା ପରେ ଖୁବ୍‌ ଡରି ଯାଇଥିଲା। ତା’କୁ ଯେତେବେଳେ ପଚରାଗଲା ତ ମାଙ୍କଡ଼ ତା’କୁ ଟେକି ନେଇଛି ବୋଲି ପିଲାଟି ଉତ୍ତର ଦେଇଥିଲା। ପିଲାଟିକୁ ତତ୍‌କ୍ଷଣାତ ଡାକ୍ତର ଦେଖାଇ ଚିକିତ୍ସା କରାଯାଇଥିଲା। ପିଲାଟିର ଶରୀରରେ ଅନେକ ଛୋଟ ଛୋଟ ଅ‌ାଘାତ ଦେଖିବାକୁ ମିଳିଥିଲା। ତେବେ ନିଜ ପିଲାକୁ ଫେରି ପାଇବା ପରେ ବାପାମାଆ ପୁଲିସ୍‌କୁ କୃତଜ୍ଞତା ଜଣାଇଛନ୍ତି।