‘ମୋ ଦେଶ ପାଇଁ ମରିବାକୁ ପ୍ରସ୍ତୁତ’: କେଜ୍ରିୱାଲ

ନୂଆଦିଲ୍ଲୀ: ‘ଅରବିନ୍ଦ କେଜ୍ରିୱାଲ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି; କିନ୍ତୁ ଦେଶ ହେଉଛି ଗୁରୁତ୍ୱପୂର୍ଣ୍ଣ। ଯଦି ଆବଶ୍ୟକ ପଡ଼େ; ତେବେ ମୁଁ ଦେଶ ପାଇଁ ମୁଁ ମୋ ଜୀବନ ଦେଇପାରିବି’ ବୋଲି ଗୁରୁବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ। ଗତକାଲି ତାଙ୍କ ବାସଭବନ ବାହାରେ ଭଙ୍ଗାରୁଜା ପରେ ଆଜି ନିଜର ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ସାମ୍ବାଦିକମାନଙ୍କୁ ଏପରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ସେ କହିଛନ୍ତି, ‘ଯଦି ଭାରତର ସବୁଠାରୁ ବଡ ରାଜନୈିତିକ ଦଳ ଗୁଣ୍ଡାଗର୍ଦ୍ଦିରେ ଲିପ୍ତ ହୁଏ, ତେବେ ଏହା ଦେଶବାସୀଙ୍କୁ ଭୁଲ ବାର୍ତ୍ତା ଦେବ। ଯଦି ବିଶ୍ୱର ସର୍ବବୃହତ ଏବଂ ଶାସକ ଦଳ ଖୋଦ୍‌ ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ପଷ୍ଟ ଦିବାଲୋକରେ ଏପରି ’ଗୁଣ୍ଡାଗର୍ଦ୍ଦି’ କରନ୍ତି, ତେବେ ଏହା ଦେଶର ଯୁବକମାନଙ୍କୁ କ’ଣ ବାର୍ତ୍ତା ଦେବ? ଏପରି ହେଲେ ଓ ଏହା ଚାଲୁ ରହିଲେ ଦେଶ ଅଗ୍ରଗତି କରିପାରିବ ନାହିଁ’ ବୋଲି କେଜ୍ରିୱାଲ କହିଛନ୍ତି।

ଅନ୍ୟ ପକ୍ଷରେ ଆପ୍‌ ବିଧାୟକ ସୌରଭ ଭରଦ୍ୱାଜ ଆଜି (ଗୁରୁବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ହୋଇଥିବା ଆକ୍ରମଣର ନିରପେକ୍ଷ ଏବଂ ସମୟସୀମା ମଧ୍ୟରେ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଦଳ (ଏସଆଇଟି) ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଏକ ମାମଲା ଆଗତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ‘ଦ କଶ୍ମୀର ଫାଇଲ୍‌ସ’ ଚଳଚ୍ଚିତ୍ରକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଆମ ଆଦମୀ ପାର୍ଟି (ଆପ୍‌) ମଧ୍ୟରେ କଥା କଟାକଟି ଲାଗି ରହିଛି। ଏହାକୁ କେନ୍ଦ୍ରକରି ବିଜେପି ସମର୍ଥକମାନେ ବୁଧବାର ଅପରାହ୍ନରେ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ। ଆଇପି କଲେଜରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଯାଇ ବିରୋଧ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଫାଟକ ଭଙ୍ଗାରୁଜା କରିଥିଲେ।

ସମ୍ବନ୍ଧିତ ଖବର