ଆନ୍ଦୋଳନକୁ ସମର୍ଥନ କରି ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ବିଶେଷଜ୍ଞ କମିଟିରୁ ବାହାରିଲେ ଚାଷୀ ନେତା ଭୂପିନ୍ଦର ମାନ

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ଏବଂ ଏହାକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ କୃଷି ଆଇନ ଉପରେ‌ ସୁପ୍ରିମ କୋର୍ଟ ରୋକ୍ ଲଗାଇବା ସହିତ ଚାଷୀମାନଙ୍କ ସହିତ ଆଲୋଚନା ପାଇଁ ଏକ କମିଟି ଗଠନ କରିଥିଲେ। ହେ‌‌ଲେ ଏବେ ଗଠିତ ହୋଇଥିବା ୪ଜଣିଆ କମିଟି ସଦସ୍ୟଙ୍କ ମଧ୍ୟରୁ ଜଣେ ନିଜକୁ କମିଟିରୁ ବାହାର କରିଛନ୍ତି। ସେ ହେଉଛନ୍ତି ପୂର୍ବତନ ସାଂସଦ ତଥା ଭାରତୀୟ କିଷାନ ୟୁନିୟନ(ବିକେୟୁ) ସଭାପତି ଭୂପିନ୍ଦର ସିଂହ ମାନ। ଏନେଇ ବିକେୟୁ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତନ ସାଂସଦ ତଥା ବିକେୟୁର ଜାତୀୟ ସଭାପତି ତଥା ଅଲ ଇଣ୍ଡିଆ କିଷାନ ସମନ୍ୱୟ କମିଟିର ସଭାପତି ଭୂପିନ୍ଦର ସିଂହ ମାନ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଚାରିଜଣିଆ କମିଟିରୁ ନିଜକୁ ବାହାର କରିଛନ୍ତି ବୋଲି କହିଛି ବିକେୟୁ। ଏହା ସହ ଏକ ବିବୃତିକୁ ଟୁଇଟ କରି ବିବୃତିଟି ଭୂପିନ୍ଦରଙ୍କର ବୋଲି ବିକେୟୁ ଦାବି କରିଛି।

ଟୁଇଟ କରାଯାଇଥିବା ବିବୃତିରେ ଲେଖାଯାଇଛି ଯେ, କେନ୍ଦ୍ର ସରକାର ଆଣିଥିବା ତିନୋଟି ଆଇନ ଉପରେ କିଷାନ ୟୁନିଅନ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ମୋତେ ଚାରିଜଣିଆ କମିଟି ପାଇଁ ମନୋନିତ କରିଥିବାରୁ ମୁଁ କୃତଜ୍ଞ। ହେଲେ ଜଣେ କୃଷକ ଏବଂ ଏକ କିଷ‌ାନ ୟୁନିୟନର ମୁଖ୍ୟ ଭାବେ ମୁଁ ଏହି ଦାୟିତ୍ବ ନେଇପାରିବି ନାହିଁ। ମୁଁ କୃଷକଙ୍କ ଦାବିକୁ ସମର୍ଥନ କରି ନିଜକୁ ଚାରିଜଣିଆ କମିଟିରୁ ବାହାର କରୁଛି ଏବଂ ମୁଁ ସବୁବେଳେ ମୋର କୃଷକ ଭାଇ ଏବଂ ପଞ୍ଜାବ ସହିତ ଛିଡା ହେବି।

ଉଲ୍ଲେଖଯୋଗ୍ୟ, ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଚାଲିଥିବା ଆଲୋଚନା ବାରମ୍ବାର ବିଫଳ ହେଉଥିବାରୁ ସ୍ଥାୟୀ ସମାଧାନର ପନ୍ଥା ବାହାର କରିବାକୁ ଯାଇ ସୁପ୍ରିମ କୋର୍ଟ ନୂଆ ଆଇନ ଉପରେ ରୋକ୍ ଲଗାଇଥିଲେ। ଏହାସହିତ ଚାଷୀମାନଙ୍କ ସହିତ ଆଲୋଚନା କରିବା ଲାଗି ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହି କମିଟି ଦୁଇ ମାସ ମଧ୍ୟରେ ସିଧାସଳଖ ଅଦାଲତକୁ ରିପୋର୍ଟ ପ୍ରଦାନ କରିବ ଏବଂ ୧୦ ଦିନ ମଧ୍ୟରେ କମିଟିର ପ୍ରଥମ ବୈଠକ ହେବ ବୋଲି କୋର୍ଟ କହିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ଗଠିତ କମିଟିରେ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ଭୂପିନ୍ଦର ସିଂହ ମାନ୍‌ (ସଭାପତି, ଭାରତୀୟ କିଶାନ୍‌ ୟୁନିଅନ), ଅନୀଲ ଘନୱଟ (ସଭାପତି, ଶେତକାରୀ ସଂଗଠନ) ଏବଂ ପ୍ରମୋଦ କୁମାର ଯୋଶୀ (ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ସଂସ୍ଥାନ) ରହିଥିଲେ। ଯଦି ଭୂପିନ୍ଦର ସିଂହ ମାନ୍ କମିଟିରୁ ବାହାରିବା ଖବର ସତ ହୁଏ, ତେବେ ସୁପ୍ରିମ୍‌ କୋର୍ଟଙ୍କୁ ଆଉ ଜଣେ ସଦସ୍ୟଙ୍କୁ ଦାୟିତ୍ବ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର