ଇରାନ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେବାର ମାତ୍ର କିଛି ସମୟ ପରେ ନିଷ୍ପତ୍ତି ବଦଳାଇଲେ ଟ୍ରମ୍ପ

ଓ୍ଵାଶିଂଟନ: ନିଷ୍ପତ୍ତି ବଦଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଇରାନ ଉପରେ ଆକ୍ରମଣ ପାଇଁ ଆଦେଶ ଦେବା ପରେ ପରେ ନିଜେ ହିଁ ନିଷ୍ପତ୍ତି ବଦଳାଇ ଦେଲେ ଟ୍ରମ୍ପ। ଆମେରିକାର ସ୍ପାଏ ଡ୍ରୋନକୁ ଇରାନ ଖସାଇଦେବା ପରେ ଡ୍ରୋନାଲ୍‌ଡ ଟ୍ରମ୍ପ ସାମରିକ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ଏହି ନିଷ୍ପତ୍ତି ବଦଳାଇଥିଲେ।

ହ୍ଵାଇଟ ହାଉସରେ ବରିଷ୍ଠ ସାମରିକ ଓ କୂଟନୈତିକ ଅଧିକାରୀଙ୍କ ସହ ଆଲୋଚନା ପରେ ଇରାନ ଉପରେ ଆକ୍ରମଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ନିଷ୍ପତ୍ତି ବଦଳାଯାଇଥିଲା। ଇରାନର ରାଡାର ଓ ମିସାଇଲ ବ୍ୟାଟେରି ଭଳି ଅଳ୍ପ କେତେକ ସ୍ଥାନରେ ଆକ୍ରମଣ ଯୋଜନାକୁ ଡୋନାଲ୍‌ଡ ଟ୍ରମ୍ପ ଅନୁମତି ଦେଇଥିଲେ। ତେବେ ଟ୍ରମ୍ପ କାହିଁକି ହଠାତ ଏଭଳି ରଣନୀତି ବଦଳାଇଲେ ତାହା ଜଣାପଡିନାହିଁ। ପୁଣି ଆକ୍ରମଣ କରାଯିବ କି ନାହିଁ ତାହା ବି ସ୍ପଷ୍ଟ ହୋଇନାହିଁ। ହ୍ଵାଇଟ ହାଉସ ବି ଏ ବାବଦରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି।

Image source: India Today

ଗୁରୁବାର ସକାଳେ ଇରାନ ଆମେରିକାର ୧୩୦ ମିଲିୟନ ଡଲାରର ସ୍ପାଏ ଡ୍ରୋନକୁ ଗୁଳିକରି ଖସାଇଦେଇଥିଲା। ଏହାକୁ ନେଇ ଆମେରିକା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା। ମାତ୍ର ଆକ୍ରମଣ ନିଷ୍ପତ୍ତିର ମାତ୍ର କିଛି ସମୟ ପରେ ସାମରିକ ଅଧିକାରୀଙ୍କୁ ଖବର ଆସିଥିଲା ଇରାନ ଉପରେ ଆକ୍ରମଣ ହେବ ନାହିଁ। ଏହାକୁ ସାମୟିକ ଭାବେ ସ୍ତଗିତ ରଖାଗାଲା। ସ୍ପାଏ ଡ୍ରୋନ ଖସାଇବା ପରେ ଆମେରିକା-ଇରାନ ସମ୍ପର୍କ ଆହୁରି ଖରାପ ହୋଇପଡିଛି। ଏହି ଘଟଣା ପାଇଁ ଡୋନାଲ୍‌ଡ ଟ୍ରମ୍ପ ସିଧାସଳଖ ଇରାନକୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର