ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଜେଲ୍‌ରୁ ବାହାରିବାରେ ମନୀଷ ସିସୋଡିଆ ଏବଂ ସଞ୍ଜୟ ସିଂଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୃତୀୟ ଶ୍ରେଷ୍ଠ ନେତା ହେବ କି? କାରଣ ଆଜି ସୁପ୍ରିମ୍‌କୋର୍ଟରେ କେଜ୍ରିୱାଲ୍‌ଙ୍କ ଶୁଣାଣି ହେବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ହେପାଜତରେ ଥିବା ବେଳେ କେଜ୍ରିୱାଲ୍‌ଙ୍କୁ ଗିରଫ କରିଥିଲା ସିବିଆଇ। ତାହାକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟ ଯାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆଜି ତାଙ୍କ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। 

Advertisment

ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ଆଜି ସକାଳ ୧୦.୩୦ ସମୟରେ ଏହି ରାୟ ପ୍ରକାଶ ପାଇବ। ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। 

ମଦ ଦୁର୍ନୀତି ମାମଲାରେ ସେ ପ୍ରଥମେ ଇଡି ଦ୍ବାରା ଗିରଫ ‌ହୋଇଥିବା ବେଳେ ଜୁନ୍‌ ୨୬ ତାରିଖରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ସପ୍ତାହ ପରେ, ଜୁଲାଇ ୧୨ ତାରିଖରେ ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ଏକ ବୃହତ ବେଞ୍ଚକୁ ପଠାଯାଇଛି। ତେବେ ସିବିଆଇ ଦ୍ବାରା ଗିରଫ ହୋଇଥିବା ହେତୁ ସେ ଏବେ ତିହାର ଜେଲରେ ଅଛନ୍ତି।

କେଜ୍ରିୱାଲ୍‌ଙ୍କୁ ପୂର୍ବରୁ ବରିଷ୍ଠ ଆପ୍‌ ନେତା ମନୀଷ ସିସୋଡିଆ, ସଞ୍ଜୟ ସିଂ, ବିଜୟ ନାୟାର ଏବଂ ଭାରତ ରାଷ୍ଟ୍ର ସମିତିର କେ କବିତା ଆଦି ମଦ ନୀତି ମାମଲାରେ ଜେଲ୍‌ରୁ ବାହାରି ସାରିଛନ୍ତି।