ମୌସୁମି ଅଧିବେଶନରେ ପ୍ରଶ୍ନକାଳ ରହିବନି, ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ : ଆସନ୍ତା ୧୪ ତାରିଖରୁ ଅକ୍ଟୋବର ୧ ଯାଏ ସଂସଦର ମୋସୁମି ଅଧିବେଶନ ଅନୁଷ୍ଠିତ ହେବ। ତେବେ ମହାମାରୀ କୋଭିଡ୍‌କୁ ଦୃଷ୍ଟିରେ ରଖି ଉକ୍ତ ଅଧିବେଶନରେ ଉଭୟ ଗୃହରେ ପ୍ରଶ୍ନକାଳ ରହିବନି ବୋଲି ବୁଧବାର ନୋଟିସ ପ୍ରକାଶ ପାଇଛି। ସେହିପରି ଶୂନ୍ୟକାଳର ଅବଧିକୁ ମଧ୍ୟ କମାଇ ଦିଆଯାଇଥିବା ଏଥିରେ ଉଲ୍ଲେଖ ରହିଛି। ଅପରପକ୍ଷେ, ବର୍ତ୍ତମାନର ମହାମାରୀ ଜନିତ ଅସ୍ବାଭାବିକ ପରିସ୍ଥିତି ଯୋଗୁଁ ଆଗାମୀ ଅଧିବେଶନରେ ବେସରକାରୀ ବିଧେୟକ(ପ୍ରାଭେଟ୍‌ ମେମ୍ବର୍ସ ବିଲ୍‌) ନ ଆଣିବା ପାଇଁ ବାଚସ୍ପତି ଏମ୍‌ ବିର୍ଲା ନିର୍ଦ୍ଦେଶ କରିଛନ୍ତି। ଏହା ଜଣା ପଡ଼ିବା ପରେ ବିରୋଧୀ ଦଳମାନେ ତୀବ୍ର ସମାଲୋଚନା କରିଛନ୍ତି। ଏହାଦ୍ବାରା ଦେଶର ଆର୍ଥିକ ସ୍ଥିତି ଓ ମହାମାରୀ କୋଭିଡ୍‌ ସମ୍ପର୍କରେ ପ୍ରଶ୍ନ ପଚାରିବାର ସୁଯୋଗକୁ ସରକାର ଉଦ୍ଦେଶ୍ୟମୂଳକ ଭାବେ ଛଡ଼ାଇ ନେଇଛନ୍ତି ବୋଲି ଅନେକ ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି।

ସୂଚନା ଥାଉ କି, ଉଭୟ ଗୃହର ସଚିବାଳୟ ଦ୍ବାରା ଜାରି କରାଯାଇଥିବା ଉକ୍ତ ନୋଟିସ ଅନୁସାରେ ଅଧିବେଶନ ଚାଲୁ ରହିଥିବା ପର୍ଯ୍ୟନ୍ତ ଶନିବାର ଓ ରବିବାର ମଧ୍ୟ ଉଭୟ ଗୃହ କାର୍ଯ୍ୟ କରିବ। ପ୍ରତି ଦିନର କାର୍ଯ୍ୟକାଳକୁ ସକାଳ ୯ଟାରୁ ଅପରାହ୍ଣ ଗୋଟାଏ ଯାଏ ଓ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ଯାଏ – ଏହିପରି ଦୁଇଟି ଅଧିବେଶନରେ ଭାଗ କରାଯାଇଛି। ପ୍ରଥମ ଦିବସକୁ ଛାଡ଼ିଦେଲେ ବାକି ସବୁ ଦିନ ସକାଳ ଅଧିବେଶନରେ ରାଜ୍ୟସଭା ଓ ସାନ୍ଧ୍ୟ ଅଧିବେଶନରେ ଲୋକସେଭା ବସିବ। ତେବେ ପ୍ରଶ୍ନକାଳ ହଟିଯିବା ଉପରେ କଡ଼ା ସମାଲୋଚନା କରି ରାଜ୍ୟସଭାର ତୃଣମୂଳ କଂଗ୍ରେସ ନେତା ସାଂସଦ ଡେରେକ ଓ ବ୍ରିଏନ୍‌, ସରକାରଙ୍କୁ ବିରୋଧୀ ଦଳ ପ୍ରଶ୍ନ କରିବାର ଅଧିକାର ହରାଇବେ, ବୋଲି କହିଛନ୍ତି। ଏପରି ଗଣତନ୍ତ୍ରର ହତ୍ୟା ପାଇଁ ମହାମାରୀ ବାହାନା କେବଳ ବୋଲି ସେ ଟ୍ବିଟ୍‌ କରି କହିଛନ୍ତି। ସେହିପରି ଡିଏମ୍‌କେ ନେତ୍ରୀ କାନିମୋଝି ମଧ୍ୟ ଅନୁରୂପ ଭାବେ ସରକାରଙ୍କୁ ଘେରିଛନ୍ତି। ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କର ସରକାରଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ନାହିଁ ବୋଲି ସେ ଆକ୍ଷେପ କରିଛନ୍ତି। ପୂର୍ବରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ବାଚସ୍ପତିଙ୍କୁ ଚିଠି ଲେଖି ଶୂନ୍ୟକାଳ ଅବଧି ନ କମାଇବା ପାଇଁ କହିଥିଲେ। ଏହାଦ୍ବାରା ଲୋକପ୍ରତିନିଧିମାନେ ଗୁରୁତ୍ବପୂର୍ଣ୍ଣ ଜାତୀୟ ପ୍ରସଙ୍ଗଗୁଡ଼ିକୁ ଉତ୍‌ଥାପନ କରିବାରୁ ବଞ୍ଚିତ ହେବେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର