ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନ୍‌ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ସହ ବିଜେପି ସମ୍ପର୍କ ଛିନ୍ନ କରିବ ବୋଲି ଚର୍ଚ୍ଚା ହେଉଛି। ଲୋକସଭା ନିର୍ବାଚନରେ ବିଜେପି ମହାରାଷ୍ଟ୍ରରେ ଶକ୍ତ ଝଟ୍‌କା ଖାଇବା ପରେ ଏବେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିଜେପି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସ‌ିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ସହ ବିଧାନସଭା ନିର୍ବାଚନ ଲଢ଼ିବ। ଆର୍‌ଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ବୟଂ‌ସେବକ ସଂଘ)ର ମୁଖପତ୍ରରେ ନିକଟରେ ବାହାରିଥିବା ଏକ ଲେଖା ଅନୁଯାୟୀ ମହାରାଷ୍ଟ୍ରରେ ବିଜେପିର ‌ଲୋକସଭା ନିର୍ବାଚନ କ୍ଷତି ପାଇଁ ଅଜିତ ପାୱାରଙ୍କ ଏନ୍‌ସିପି ଏକ ପ୍ରମୁଖ କାରଣ। ମହାରାଷ୍ଟ୍ରରେ ୪୮ ‌ଲୋକସଭା ଆସନରୁ ବିରୋଧୀ ଏମଭିଏ (ମହା ବିକାଶ ଅଘାଡ଼ି) ୩୦ ଆସନରେ ଜିତିଥିଲା। ଅନ୍ୟପକ୍ଷେ ଶାସକ ମହାୟୁତି ମାତ୍ର ୧୭ ଆସନରେ ଜିତିଥିଲା।

Advertisment

ଉଲ୍ଲେଖଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏ ମହାରାଷ୍ଟ୍ରରେ ୪୮ ଆସନରୁ ୪୩ ଆସନରେ ଜିତିଥିଲା। ଅନ୍ୟପକ୍ଷେ ୟୁପିଏ ମାତ୍ର ୫ ଟି ଆସନରେ ଜିତିଥିଲା। ଯଦିଓ ଭୋଟରମାନେ ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଭିନ୍ନ ଭାବେ ଗ୍ରହଣ କରିଥାନ୍ତି। କିନ୍ତୁ ଲୋକସଭା ନିର୍ବାଚନ ଫଳ ଆଗାମୀ ବିଧାନସଭା ନିର୍ବାଚନ ଫଳ ଉପରେ ପ୍ରଭାବ ପକାଇପାରେ। ଉଲ୍ଲେଖଯୋଗ୍ୟ, ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଏହା ଦେଖିବାକୁ ମିଳିଥିଲା ଯେ ଆରଏସଏସ୍‌- ବିଜେପି ନେତା ଓ କର୍ମୀମାନେ ଏନସିପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ପ୍ରସ୍ତୁତ ନଥିଲେ। ଫଳରେ ବିଜେପିର ସଂଖ୍ୟା ୨୦୧୯ରେ ୨୩ରୁ ୨୦୨୪ରେ ୯କୁ ଖସି ଆସିଲା। ଅଜିତ ପାୱାରଙ୍କ ଏନ୍‌ସିପି ଗୋଷ୍ଠୀ କେବଳ ଗୋଟିଏ ଆସନରେ ଜିତିପାରିଥିଲା। ବିଜେପି ଅଜିତ ପାୱାରଙ୍କ ସହ ମେଣ୍ଟ କରିବାରୁ ଏହାର ବ୍ରାଣ୍ଡ୍‌ ଭାଲ୍ୟୁ କମିଗଲା ବୋଲି କୁହାଯାଉଛି।