ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇଲେ ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର କ୍ଷମତାକୁ ଫେରାଇ ଆଣିବୁ : ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇଲେ ସେ ରାଜ୍ୟର  ସ୍ୱତନ୍ତ୍ର କ୍ଷମତାକୁ ଫେରାଇ ଆଣିବା ଲାଗି ଏକ ପ୍ରସ୍ତାବ ଆଗତ କରିବେ । ବିଜେପିରୁ ବହିଷ୍କ୍‌ୃତ ଏମପି ଗଗନ ଭଗତଙ୍କୁ ଦଳକୁ ସ୍ୱାଗତ କରିବା ଅବସରରେ ଆୟୋଜିତ ଏକ ସମାରୋହରେ ସେ କହିଛନ୍ତି ଯେ ରାଜ୍ୟରେ ଆଗମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କଲେ ତାଙ୍କ ଦଳ କ୍ଷମତାକୁ ଆସିବାର ମାତ୍ର ୩୦ ଦିନ ମଧ୍ୟରେ ରାଜ୍ୟରେ ଆଞ୍ଚଳିକ ସ୍ୱତନ୍ତ୍ରତାକୁ ଲାଗୁ କରାଯିବ ।

ସୂଚନାଯୋଗ୍ୟ ଯେ ଜାମ୍ମୁ ଓ କାଶ୍ମୀରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଅର୍ଥାତ ସଂପୂର୍ଣ୍ଣ କ୍ଷମତା ଏବେ କେନ୍ଦ୍ର ସରକାରଙ୍କ ହାତରେ ରହିଛି ।

୬ ମାସ ତଳେ ଜାମ୍ମୁ ଓ କାଶ୍ମୀରରେ ଲଗାଯାଇଥିବା ରାଜ୍ୟପାଳ ଶାସନର ମିଆଦ ଆଦି ପୂରଣ ହେବା ପରେ ଗତ ୧୯ ତାରିଖଠାରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏ ନେଇ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କେନ୍ଦ୍ରକୁ ସୁପାରିଶ କରିଥିଲେ । ବୁଧବାରଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଅନୁମୋଦନ କରିଛଥିଲେ । ଗତ ଜୁନ ମାସରେ ପିପୁଲ୍ସ୍ ଡେମୋକ୍ରାଟିକ୍ ପାର୍ଟିରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ମେହବୁବା ମୁଫତି ସରକାରର ପତନ ହୋଇଥିଲା ।

ସମ୍ବନ୍ଧିତ ଖବର