ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନରେ ଜେଡିୟୁକୁ ବିପୁଳ କ୍ଷତି ପହଞ୍ଚାଇଥିବା ଏଲ୍ଜେପି ସଭାପତି ଚିରାଗ୍ ପାଶ୍ବାନ୍ ଏନ୍ଡିଏର ଅଂଶୀଦାର ହୋଇ ରହିବେ କି ନାହିଁ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚିରାଗ୍ ବିହାରରେ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେଇ ଜେଡିୟୁର ବଡ଼ କ୍ଷତି ସାଧନ କରିବାରେ ସଫଳ ହୋଇଛନ୍ତି। ଏଭଳି ସ୍ଥିତିରେ ଚିରାଗ୍ ଏନ୍ଡିଏରେ ରହିବେ କି ନାହିଁ ତାହା ବିଜେପି ସ୍ଥିର କରୁ ବୋଲି ନୀତୀଶ ଏବଂ ଅନ୍ୟ ଜେଡିୟୁ ନେତାମାନେ କହିଛନ୍ତି।
ବିହାର ନିର୍ବାଚନ ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ନୀତୀଶ ଚିରାଗ୍ଙ୍କୁ ଟାର୍ଗେଟ୍ କରିଛନ୍ତି। ଚିରାଗ୍ ଏନ୍ଡିଏରେ ରହିବେ କି ନାହିଁ ବିଜେପି ନିଷ୍ପତ୍ତି ନେଉ ବୋଲି ନୀତୀଶ କହିବା ସହ ବିଜେପି କୋର୍ଟକୁ ବଲ୍ ଫିଙ୍ଗିଛନ୍ତି। ଏଭଳି ସ୍ଥିତିରେ ବିଜେପି କ’ଣ ନିଷ୍ପତ୍ତି ନେବ ତାହାକୁ ମଧ୍ୟ ଅପେକ୍ଷା କରାଯାଇଛି। ତେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏଲ୍ଜେପି ଏକ ଜାତୀୟ ଦଳ ନୁହେଁ। ଚିରାଗ୍ ଖୋଲାଖୋଲି ଭାବେ ଏନ୍ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତୀଶ କୁମାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଏଣୁ ସେ ଆଗକୁ କ’ଣ କରିବେ ଚିରାଗ୍ ହିଁ ନିଷ୍ପତ୍ତି ନିଅନ୍ତୁ ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି।