ନୂଆଦିଲ୍ଲୀ: ବିଶ୍ବର ବୃହତ୍ତମ ହୀରା ‘କୋହିନୂର୍’କୁ ଇଂଲଣ୍ଡ୍ରୁ ଫେରାଇ ଆଣିବାକୁ ଉପାୟ ବାହାର କରିବା ପ୍ରଚେଷ୍ଟା ଜାରି ରଖାଯିବ ବୋଲି ଶୁକ୍ରବାର ଦିନ ଭାରତ ସରକାର ସୂଚନା ଦେଇଛନ୍ତି।
ଦୀର୍ଘ କାଳ ରାଜୁତି କରିଥିବା ବ୍ରିଟେନ୍ର ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ମୃତ୍ୟୁ ପରେ ‘କୋହିନୂର୍’କୁ ଫେରାଇ ଆଣିବାର ଦାବି ପୁନର୍ବାର ଭାରତରେ ଜାଗରୁକ ହୋଇଛି।
‘କୋହିନୂର’ ଫେରସ୍ତ ଅଣାଯିବା ଦାବି ପ୍ରସଙ୍ଗରେ ପଚରାଯିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍ ବାଗ୍ଚି ଅଳ୍ପ କିଛି ବର୍ଷ ତଳେ ଏ ପ୍ରସଙ୍ଗରେ ସରକାର ସଂସଦରେ ଦେଇଥିବା ଉତ୍ତରକୁ ଦର୍ଶାଇଛନ୍ତି।
ସେ କହିଛନ୍ତି, ଅଳ୍ପ କେତେ ବର୍ଷ ପୂର୍ବେ ସଂସଦରେ ଭାରତ ସରକାର ଦେଇଥିବା ଉତ୍ତରରୁ ମୁଁ ଯାହା କିଛି ବୁଝିଛି। ଏ ପ୍ରସଙ୍ଗ ଆମେ ଇଂଲଣ୍ଡ୍ ସରକାରଙ୍କ ନିକଟରେ ଥରକୁ ଥର ଉତ୍ଥାପନ କରୁଛୁ। ଏବଂ ଏହାର ସନ୍ତୋଷଜନକ ସାମାଧାନ ନିମନ୍ତେ ଉପାୟ ବାହାର କରିବା ଲାଗି ପ୍ରଚେଷ୍ଟା ଜାରି ରଖିବୁ।
ଉଲ୍ଲେଖଯୋଗ୍ୟ, ୧୦୮ କ୍ୟାରେଟ୍ର ‘କୋହିନୂର’ ହୀରା ବା ରତ୍ନକୁ ୧୮୪୯ରେ ମହାରାଜା ଦୁଲୀପ ସିଂହ ରାଣୀ ଭିକ୍ଟୋରିଆଙ୍କୁ ପ୍ରଦାନ କରିଥିଲେ।
ଆସନ୍ତା ବର୍ଷ ମେ ୬ ତାରିଖରେ ହେବାକୁ ଥିବା ରାଜ୍ୟାଭିଷେକ ଉତ୍ସବରେ ରାଣୀ କାମିଲା ‘କୋହିନୂର’ ହୀରା ଖଚତ ମୁକୁଟ ପରିଧାନ କରିବାର ସମ୍ଭାବନା ଥିବା କଥା ବିଟିସ୍ ଗଣମାଧ୍ୟମଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଉଛି।
ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ମୃତ୍ୟୁ ପରେ ‘କୋହିନୂର୍’କୁ ଭାରତକୁ ଫେରାଇ ଅଣାଯାଉ ବୋଲି ଭାରତର ଉଲ୍ଲେଖଯୋଗ୍ୟ ସଂଖ୍ୟକ ଟୁଇଟର୍ ବ୍ୟବହାରକାରୀମାନେ ଦାବି କରିଛନ୍ତି।