ଟେଲ୍ ଅଭିଭ୍: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଯୁଦ୍ଧ ଆଜି ୧୫ ଦିନରେ ପହଞ୍ଚିଥିବାବେଳେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ଓ ପ୍ରତ୍ୟାକ୍ରମଣ ଜାରି ରହିଛି। ଇତିମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଦୃଢ଼ ପ୍ରତିଜ୍ଞା କରି କହିଛନ୍ତି, ଗାଜାରେ ସମ୍ପୂର୍ଣ୍ଣ ବିଜୟ ହାସଲ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ। ଗାଜାରେ ଆକ୍ରମଣ ବନ୍ଦ ହେବନାହିଁ ଏବଂ ସ୍ଥଳ ଅଭିଯାନ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ନେତାନ୍ୟାହୁ ତାଙ୍କର ଏହି ବୟାନ ଦ୍ବାରା ଜଣାଇ ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ଇଜିପ୍ଟର କାଇରୋରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଆରବ ରାଷ୍ଟ୍ରମାନେ ଇସ୍ରାଏଲର ଗାଜା ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ଗାଜାକୁ ତତ୍କାଳ ସମସ୍ତ ସହାୟତା ଯୋଗାଣ ଉପରେ ଏହି ସମ୍ମିଳନୀରେ ଗୁରୁତ୍ବାରୋପ କରାଯିବା ସହ ଆକ୍ରମଣ ତୁରନ୍ତ ବନ୍ଦ ପାଇଁ କୁହାଯାଇଛି। ଇସ୍ରାଏଲ-ପାଲେଷ୍ଟାଇନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ପ୍ରୟାସ ଜାରି ରହିବ ବୋଲି ସମ୍ମିଳନୀରେ ଅାରବ ନେତାମାନେ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ଇସ୍ରାଏଲ ନିଜର ସୁରକ୍ଷା ପାଇଁ କୌଣସି ସାଲିସ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ସମସ୍ତ ନାଗରିକ ଉତ୍ତର ଗାଜା ଛାଡ଼ିବାପାଇଁ ଇସ୍ରାଏଲ ନିର୍ଦ୍ଦେଶ ଦେଇସାରିଛି। ଇତିମଧ୍ୟରେ ହମାସ ଆତଙ୍କବାଦୀ ଗୋଷ୍ଠୀ ପଣବନ୍ଦୀ ରଖିଥିବା ୨ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିଛି ବୋଲି ନେତାନ୍ୟାହୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିବୃତି ଜାରି କରି କହିଛନ୍ତି। ଅନ୍ୟପକ୍ଷେ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲକୁ ଗାଜାରେ ସ୍ଥଳ ଅଭିଯାନ ବିଳମ୍ବ କରିବାପାଇଁ ଚାପ ପକାଇଛନ୍ତି। ଗାଜାରେ ସ୍ଥିତି ଅତ୍ୟଧିକ ଜଟିଳ ହେବାରେ ଲାଗିଛି। ଗାଜା ଉପରେ ଇସ୍ରାଏଲ ଲଗାତାର ବିମାନ ଆକ୍ରମଣ ଜାରି ରଖିଛି। ଗାଜାରେ ଅଧିକାଂଶ ହସ୍ପିଟାଲ୍ଗୁଡ଼ିକରେ ଆଉ ଇନ୍ଧନ ନାହିଁ ବୋଲି ସହାୟତା ସଂସ୍ଥାଗୁଡ଼ିକ କହିଛନ୍ତି।