ଥଣ୍ଡା ଜ୍ୱର ବା ସର୍ଦ୍ଦି ଭଳି ରୋଗରେ ପରିଣତ ହୋଇ ପ୍ରତିବର୍ଷ ଆସିବ କରୋନା: ଗବେଷଣା

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ କରୋନା ଲହର ଭୟ ବଢ଼ାଉଥିବା ବେଳେ ଏହାର କେବେ ଅନ୍ତ ଘଟିବ, ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ତେବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଇସିଏମଆରର ବିଶେଷଜ୍ଞ ଡାକ୍ତର ସମୀରଣ ପଣ୍ଡା । ସେ କହିଛନ୍ତି, ନିର୍ଦ୍ଦିଷ୍ଟ ଗୋଷ୍ଠୀ କିମ୍ବା ନିର୍ଦ୍ଦିଷ୍ଟ ଅଂଚଳରେ କରୋନା ରହିବ । ଥଣ୍ଡା ଜ୍ୱର ବା ସର୍ଦ୍ଦି ଭଳି ରୋଗରେ ପରିଣତ ହେବ, ଏଥିପାଇଁ ଅଧିକ ବିପଦ ଥିବା ଲୋକଙ୍କୁ ପ୍ରତିବର୍ଷ ଟିକା ନେବାକୁ ପଡ଼ିପାରେ ।

ଏପରି ଆକଳନ କରିଛନ୍ତି ମହାମାରି ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞ ଡ.ସମୀରନ ପଣ୍ଡା । ସେ କହିଛନ୍ତି ଯେ ଭାଇରସ ନିଜର ରୂପ ପରିବର୍ତ୍ତନ କରେ ଏବଂ ଏହା ଏକ ସ୍ୱାଭାବିକ କଥା । ୧୦୦ ବର୍ଷ ପୂର୍ବରୁ ସାଧାରଣ ଥଣ୍ଡା ଜ୍ୱର ମଧ୍ୟ ଏକ ବିଶ୍ୱ ମହାମାରୀ ଥିଲା, କିନ୍ତୁ ଏହା ଏବେ ପ୍ରତିବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ଆସିଥାଏ । ଠିକ ସେହିପରି କରୋନା ମଧ୍ୟ ଏକ ଭୂତାଣୁଜନୀତ ରୋଗ, ଏହା ଅନ୍ୟ ସଂକ୍ରାମକ ରୋଗ ଭଳି ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଆସିବ ଓ ଏଥି ନିମନ୍ତେ ପ୍ରତିବର୍ଷ ଟିକାର ଆବଶ୍ୟକତା ପଡ଼ିପାରେ ।

ଏଥିରେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର ପଣ୍ଡା । କରୋନା ପାଇଁ ତିଆରି କରାଯାଇଥିବା ଟିକା ଭାଇରସର ସମସ୍ତ ରୂପ ପାଇଁ କାମ ନକରିପାରେ । ତେଣୁ ପ୍ରତିବର୍ଷ ଟିକାର ଜିନୋମକୁ ପରିବର୍ତ୍ତନ କରିବାକୁ ପଡ଼ିପାରେ ବୋଲି ସେ ମତ ଦେଇଛନ୍ତି ।

 

ସମ୍ବନ୍ଧିତ ଖବର