ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଲୋକସଭା ସାଂସଦ ଭାଗୀରଥ ଚୌଧୁରୀ ସୋମବାର ସଂସଦରେ ପ୍ରଶ୍ନ କରିଥିଲେ ଯେ ସରକାର 'ଗୋମାତା'କୁ 'ଜାତୀୟ ପ୍ରାଣୀ' ମାନ୍ୟତା ଦେବାକୁ ଚାହୁଁଛନ୍ତି କି? ଆଜମେରର ବିଜେପି ସାଂସଦ ଶ୍ରୀ ଚୌଧୁରୀ ନିମ୍ନ ସଦନରେ ଏକ ଲିଖିତ ପ୍ରଶ୍ନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଜବାବ ମାଗିଥିଲେ। ଏହି ପ୍ରଶ୍ନର ଲିଖିତ ଉତ୍ତରରେ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ସୂଚାଇ ଥିଲେ ଯେ ବାଘ ହିଁ ଭାରତର ଜାତୀୟ ପ୍ରାଣୀ ଓ ଗାଈକୁ ଜାତୀୟ ପ୍ରାଣୀଘୋଷଣା କରିବାର କୌଣସି ପ୍ରସ୍ତାବ ନାହିଁ ।
ଶ୍ରୀ ରେଡ୍ଡୀ ଆହୁରି ମଧ୍ୟ କହିଥିଲେ ଯେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫ୍ ଆଣ୍ଡ ସିସି) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ସରକାର ବାଘ ଓ ମୟୂରଙ୍କୁ ଯଥାକ୍ରମେ 'ଜାତୀୟ ପ୍ରାଣୀ' ଏବଂ 'ଜାତୀୟ ପକ୍ଷୀ' ଭାବେ ବିଜ୍ଞପ୍ତି ଜାରି କରିଛନ୍ତି। ବନ୍ୟଜନ୍ତୁ (ସୁରକ୍ଷା)ଆଇନ ୧୯୭୨ ଅନୁସାରେ ଉଭୟ ବାଘ ଓ ମୟୁରକୁ ସିଡ୍ୟୁଲ-୧ ପ୍ରାଣୀ ତାଲିକାରେ ସାମିଲ କରାଯାଇଛି ।
ସେହିପରି ଗତ ୨୦୧୧, ମେ ୩୦ରେ ବାଘ ଓ ମୟୁରକୁ ଜାତୀୟ ପ୍ରାଣୀ ଓ ଜାତୀୟ ପକ୍ଷୀଭାବେ ଘୋଷଣା କରି ପୁନଃବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଅନ୍ୟପକ୍ଷରେ ଗାଈ ଓ ଅନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଭାରତୀୟ ପ୍ରାଣୀ କଲ୍ୟାଣ ବୋର୍ଡ ଗଠନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।