ହାଇଦ୍ରାବାଦ : ଭାରତରେ  କରୋନା ଟିକା ପରୀକ୍ଷଣ କରୁଥିବା କମ୍ପାନି ଭାରତ ବାୟୋଟେକର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଇଲା କହିଛନ୍ତି ଯେ ତାଙ୍କ କମ୍ପାନି ବଜାରକୁ ଟିକା ଛାଡ଼ିବାକୁ ତରବର ହେବ ନାହିଁ । କାରଣ ଟିକାର ଗୁଣବତ୍ତା ଓ ନିରାପତ୍ତା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ବିଜନେସ ଷ୍ଟାଣ୍ଡାର୍ଡକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଭାରତରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିବାରୁ ଯଥାଶୀଘ୍ର ଟିକା ପ୍ରସ୍ତୁତ କରିବାକୁ କମ୍ପାନି ଉପରେ ଚାପ ରହିଛି । କିନ୍ତୁ ଏକ ଭୁଲ ଟିକା ବଜାରକୁ ଛାଡ଼ି କରୋନା ଅପେକ୍ଷା ଅଧିକ ଲୋକ ମାରିବାକୁ ସେ ଚାହାନ୍ତି ନାହିଁ ବୋଲି କହିଛନ୍ତି ।

Advertisment

ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ଏହି ଟିକା ପ୍ରସ୍ତୁତ କରୁଛି । ଏହି ଟିକାର ଏବେ ୨ୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ପରୀକ୍ଷଣ ପାଇଁ ଆଇସିଏମଆର ପକ୍ଷରୁ ୧୨ଟି ପ୍ରତିଷ୍ଠାନକୁ ବଛାଯାଇଛି । ଏହା ମଧ୍ୟରେ ଓଡ଼ିଶାର ସମ ହସପିଟାଲ ରହିଛି ।

ଗତ ୨୫ ତାରିଖ ଦିନ ଦିଲ୍ଲୀର ଏମ୍ସଠାରେ ଏହି ଟିକାର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା । ସେହିପରି ଓଡ଼ିଶାରେ ଜୁଲାଇ ୨୭ରେ ସମ ହସପିଟାଲରେ ଏହାର ପରୀକ୍ଷଣ ଆରମ୍ଭ ହୋଇଥିଲା । ସାରା ଦେଶରେ ପ୍ରାୟ ୩୫୦୦ ଲୋକଙ୍କ ଶରୀରରେ ଏହାର ପରୀକ୍ଷା କରାଯାଉଛି । ଭାରତରେ ଆଉ ଏକ ଫାର୍ମା କମ୍ପାନି ଜାଇଡସ କାଡିଲା ମଧ୍ୟ ଏକ କରୋନା ଟିକାର ପରୀକ୍ଷଣ କରୁଛି । ଏହି ଟିକାର ନାଁ ହେଉଛି ଜାଇକୋଭ-ଡି ।