ସିନ୍ଦେଙ୍କ ପାଇଁ ଫିଟୁଛି ବାଟ ! ଉଦ୍ଧବଙ୍କୁ ହଟାଇ ହେବେ କି ମୁଖ୍ୟମନ୍ତ୍ରୀ?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଦେଖା ଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ୪୦ ଜଣ ବିିଧାୟକଙ୍କୁ ଧରି ମହାରାଷ୍ଟ୍ରର ଏମ୍‌ଭିଏ ମେଣ୍ଟ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହେବାର ବାଟ କ୍ରମଶଃ ଫିଟିବାକୁ ଆରମ୍ଭ କରିଛି।

ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି (ବୁଧବାର) ଅପରାହ୍ନରେ ‘ମୁଁ ବର୍ତ୍ତମାନ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମୋର କୌଣସି ଲାଳସା ନାହିଁ। ମୁଁ ମୁଖ୍ୟମନ୍ତ୍ରୀ ଭାବରେ ମୋର ଦାୟିତ୍ୱ ପୂରଣ କରିଛି ଏବଂ ମୋର ଇସ୍ତଫା ଏବେ ପ୍ରସ୍ତୁତ ଅଛି’ ବୋଲି କହିବା ପରେ ଏବେ ଘୋଷଣା କରିଛନ୍ତି ଯେ ‘ଏକନାଥ ସିନ୍ଦେ ଯଦି ଶିବସେନାର ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ଏଥିରେ ମୋର କୌଣସି ଆପତ୍ତି ନାହିଁ। ଏମଭିଏ ମେଣ୍ଟର ଅନ୍ୟ ଦୁଇ ସହଯୋଗୀ ଏନସିପି ଓ କଂଗ୍ରେସର ଅନୁରୋଧ କ୍ରମେ ମୁଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲି।’

ଉଦ୍ଧବ ଠାକ୍‌ରେଙ୍କ ଏହି ଘୋଷଣା ପରେ ଏନସିପି ମୁଖ୍ୟ ଶରଦ ପାଓ୍ଵାର କହିଛନ୍ତି ଯେ ଏକନାଥ ସିନ୍ଦେ ଯଦି ଶିବସେନାର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ମେଣ୍ଟର ସହଯୋଗୀ ଭାବେ ଏନସିପିର କୌଣସି ଆପତ୍ତି ନାହିଁ ବୋଲି ପାଓ୍ଵାର ସ୍ପଷ୍ଟ କରି ଦେଇଛନ୍ତି।

ସେହିପରି ଏ ପ୍ରସଙ୍ଗରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପୋଟଲ କହିଛନ୍ତି ଯେ ମହାରାଷ୍ଟ୍ରରେ ଆମେ ଶିବସେନା ଓ ଏନସିପି ସହ ମିଶି ସରକାର ଗଠନ ପାଇଁ ଏମଭିଏ ଗଠନ କରିଥିଲୁ ଏବଂ ମୁଖ୍ୟମନ୍ତ୍ରୀ ପଦବୀ ଶିବସେନା ପାଖରେ ରହିବ ବୋଲି ନିଷ୍ପତ୍ତି ନେଇଥିଲୁ। ତେଣୁ, ମୁଖ୍ୟମନ୍ତ୍ରୀ କିଏ ହେବ ଉଦ୍ଧବ ଠାକରେ ନା ଏକନାଥ ସିନ୍ଦେ ତାହା ଶିବସେନାର ନିଜସ୍ୱ ବ୍ୟାପାର, ସେଥିରେ କଂଗ୍ରେସର କୌଣସି ପ୍ରତିବନ୍ଧକ ବା ପ୍ରତିବାଦ ନାହିଁ।

ସମ୍ବନ୍ଧିତ ଖବର