‘ଅଣ୍ଡର୍ଓ୍ଵାର୍ଲଡ୍’ ସହ ନବାବ ମଲିକଙ୍କ ସମ୍ପର୍କ କଥା ଦୀପାବଳି ପରେ କହିବି: ଦେବେନ୍ଦ୍ର ଫଡ଼ନବିସ
ନୂଆଦିଲ୍ଲୀ: ‘ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’ର (ଏନ୍ସିପି) ବରିଷ୍ଠ ନେତା ନବାବ ମିଲିକଙ୍କର ‘ଅଣ୍ଡର୍ଓ୍ଵାର୍ଲଡ୍’ ସହ ସମ୍ପର୍କ ଅଛି ଏବଂ ଦୀପାବଳି ପରେ ସେ ଏହାର ପ୍ରମାଣ ଦେବେ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ଅଭିଯୋଗ କରିଛନ୍ତି।
ସଂପ୍ରତି ଜେଲ୍ରେ ଥିବା ଜଣେ ଡ୍ରଗ୍ ବିକ୍ରେତାଙ୍କ ଆର୍ଥିକ ସହାୟତାରେ ନିର୍ମିତ ‘ମ୍ୟୁଜିକ୍ ଭିଡିଓ’ରେ ଫଡ଼ନବିସ ଥିଲେ ବୋଲି ମଲିକ କରିଥିବା ଦାବି ଭିତ୍ତିହୀନ ବୋଲି ସେ କହିଛନ୍ତି। ‘ରିଭର୍ ସଙ୍ଗ୍’ ପ୍ରକଳ୍ପ ନାମକ ଏହି ପ୍ରକଳ୍ପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଅମୃତା ଫଡ଼ନବିସ ଗୀତ ଗାଇଛନ୍ତି।
ସୂଚନାଯୋଗ୍ୟ, ‘ଡ୍ରଗ୍ ବିକାଳି’ ବୋଲି କୁହାଯାଉଥିବା ଜୟଦୀପ ରାଣା ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ଥିବା ଏକ ଫଟୋ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିବାର କିଛି ସମୟ ପରେ ସେ ପ୍ରତିକ୍ରିୟା ପ୍ରକାଶ କରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଅଣ୍ଡର୍ଓ୍ଵାର୍ଲଡ୍’ ସହ ସମ୍ପର୍କ ଥିବା ବ୍ୟକ୍ତିମାନେ ମୋ ବିଷୟରେ କହିବା ଅନୁଚିତ। ‘ଅଣ୍ଡର୍ଓ୍ଵାର୍ଲଡ୍’ ସହ ନବାବ ମଲିକଙ୍କର ଥିବା ସମ୍ପର୍କର ପ୍ରମାଣ ମୁଁ ଉପସ୍ଥାପନ କରିବି। ଖାଲି ଦୀପାବଳିଟା ସରିଯାଉ।

ମଲିକଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ଉପରେ ସନ୍ଦେହ କରି ସେ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ଭିଡିଓ ପ୍ରସ୍ତୁତକର୍ତ୍ତା ‘ରିଭର୍ ମାର୍ଚ’ ଟିମ୍ ଗତକାଲି ସ୍ପଷ୍ଟିକରଣ ଦେଇ କହିଥିଲେ ଯେ, ଉକ୍ତ ଭିଡିଓରେ ‘ଫାଇନାନ୍ସ୍ ହେଡ୍’ ଭାବେ ତାଲିକାଭୁକ୍ତ ବ୍ୟକ୍ତି ଜୟଦୀପ ରାଣାଙ୍କୁ ସେମାନଙ୍କର ‘କ୍ରିଏଟିଭ୍ ଟିମ୍’ ଅଣାଇଥିଲା। ୪ ବର୍ଷ ତଳର ଉକ୍ତ ଫଟୋକୁ ଏବେ ପ୍ରସାରଣ କରାଯାଉଛି।
ଫଡ଼ନବିସ କହିଛନ୍ତି ଯେ, ସେ ବ୍ୟକ୍ତିଙ୍କ ସହ ତାଙ୍କର ଫଟୋ ଅଛି କିନ୍ତୁ, ମଲିକ ଜାଣିଶୁଣି ତାଙ୍କ ପତ୍ନୀଙ୍କ ଫଟୋ ବ୍ୟବହାର କରିଛନ୍ତି। ଏଥିରୁ ତାଙ୍କର ମନୋଭାବ ଜଣାପଡୁଛି। ସେ ବ୍ୟକ୍ତିଙ୍କ ସହ ମୋର କି, ମୋ ପତ୍ନୀଙ୍କର କୌଣସି ସମ୍ପର୍କ ନାହିଁ। ଗୋଟିଏ ମାତ୍ର ଫଟୋକୁ ଧରି ସେ ‘ବିଜେପି’ ବିପକ୍ଷରେ ଅଭିଯୋଗ କରୁଛନ୍ତି। ତାଙ୍କ ଜ୍ୱାଇଁ ଡ୍ରଗ୍ ସହ ଧରାପଡ଼ିଥିଲେ, ଏହାର ଅର୍ଥ କ’ଣ ‘ଏନ୍ସିପି’ ପାର୍ଟି ଡ୍ରଗ୍ ସପ୍ଲାୟର୍?