‘ଲଢିବି ଆଉ ଜିତିବି, ମୁଣ୍ଡ ନୁଆଁଇବି ନାହିଁ’: ଇଡି ଗିରଫ କରିବା ପରେ କହିଲେ ମନ୍ତ୍ରୀ ନଓ୍ଵାବ ମଲ୍ଲିକ

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପିର ବରିଷ୍ଠ ନେତା ନଓ୍ଵାବ ମଲ୍ଲିକଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଗିରଫ କଲା ପରେ ୬୨ ବର୍ଷୀୟ ରାଜନେତା ମଲ୍ଲିକ କହିଛନ୍ତି ଯେ ‘ଏହା ମୋ ବିରୋଧରେ ଏକ ଷଡ୍‌ଯନ୍ତ୍ର। ତେବେ, ମୁଁ ଲଢିବି ଆଉ ଜିତିବି, ମୁଣ୍ଡ ନୁଆଁଇବି ନାହିଁ’।

ମୁମ୍ବାଇର ପଳାତକ ଅଣ୍ଡରୱାର୍ଲ୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ସହିତ ଜଡିତ ମନି ଲଣ୍ଡରିଂ ମାମଲାର ଅନୁସନ୍ଧାନ କାଳରେ ବୁଧବାର ଗିରଫ ହୋଇଥିବା ମହାରାଷ୍ଟ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନଓ୍ଵାବ ମଲ୍ଲିକ କହିଛନ୍ତି ଯେ ସେ ମୁଣ୍ଡ ନୁଆଁଇବେ ନାହିଁ। ଆମେ ଲଢିବୁ ଏବଂ ଜିତିବୁ। ଆମେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ମଲ୍ଲିକ ଆଠ ଘଣ୍ଟା ବିତାଇବା ପରେ ଦକ୍ଷିଣ ମୁମ୍ବାଇର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରୁ ବାହାରିବା ବେଳେ ଅପେକ୍ଷାରତ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ହାତ ହଲାଇ କହିଥିଲେ। ଏହାପରେ ଶ୍ରୀ ମଲ୍ଲିକଙ୍କୁ ଇଡି ଅଧିକାରୀମାନେ ଡାକ୍ତରୀ ଯାଞ୍ଚ ପାଇଁ ଏକ ଗାଡିରେ ନେଇ ଯାଇଥିଲେ।

୬୨ ବର୍ଷୀୟ ଏନସିପି ନେତା ମଲ୍ଲିକ ସକାଳ ପ୍ରାୟ ୮ ଟା ସମୟରେ ଦକ୍ଷିଣ ମୁମ୍ବାଇର ବାଲାର୍ଡ ଇଷ୍ଟେଟ ଅଞ୍ଚଳରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଏଜେନ୍‌ସିର ତଦନ୍ତକାରୀ ଅଧିକାରୀମାନେ ମନି ଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ।

ଇଡି ସୂତ୍ରରୁ ପ୍ରକାଶ ଯେ, ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରଙ୍କ ସହ ଜଡିତ ଏକ ଜମି ଚୁକ୍ତିକୁ ନେଇ ତଦନ୍ତକାରୀ ଏଜେନ୍‌ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଲ୍ଲିକଙ୍କ ସଂପୃକ୍ତିକୁ ନେଇ ତାଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଇ ଆଣିଥିଲା। ସେଠାରେ ଇଡିର ତଦନ୍ତକାରୀ ଅଧିକାରୀମାନେ ମନ୍ତ୍ରୀ ମଲ୍ଲିକଙ୍କୁ ଦୀର୍ଘ ୮ ଘଣ୍ଟା କାଳଧରି ଗଳଦ୍‌ଘର୍ମ ଜେରା କରିବା ପରେ ଅପରାହ୍ଣରେ ତାଙ୍କୁ ଗିରଫ କରିଥିବା ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର