ପୁଣି ଗୋଟି ଚାଳନା ଆରମ୍ଭ କଲେ ବିଜେପିର ୟେଦୁରାପ୍ପା: କହିଲେ, ୨୨ଟି ଲୋକସଭା ଆସନରେ ଦଳୀୟ ସାଂସଦ ଜିତିଗଲେ ୨୪ ଘଣ୍ଟା ମଧ୍ୟରେ ସେ କର୍ଣ୍ଣାଟକରେ ଗଢ଼ିବେ ସରକାର

ବେଲାଗାଭି (କର୍ଣ୍ଣାଟକ): କର୍ଣ୍ଣାଟକରେ କ୍ଷମତାସୀନ ଥିବା ଜେଡିଏସ୍‌- କଂଗ୍ରେସ ମିଳିତ ସରକାରକୁ ଗାଦିଚ୍ୟୁତ କରି ଆଉଥରେ ଶାସନ କ୍ଷମତା ଅକ୍ତିଆର କରିବା ପାଇଁ ବାରମ୍ବାର ଅପଚେଷ୍ଟା କରି ବିଫଳ ହୋଇଥିବା କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ ବିଏସ୍‌ ୟେଦୁରାପ୍ପା ପୁଣିଥରେ ଶାସନ କ୍ଷମତା ଅକ୍ତିଆର କରିବା ପାଇଁ ଆରମ୍ଭ କରି ଦେଇଛନ୍ତି ତାଙ୍କର ଖେଳ।

ତେବେ, ଏଥର ଟିକିଏ ଭିନ୍ନ ଢ଼ଙ୍ଗରେ ନିଜର ଖେଳ ଆରମ୍ଭ କରିଛନ୍ତି ବିଜେପିର କର୍ଣ୍ଣାଟକ ପ୍ରଦେଶ ମୁଖ୍ୟ ତଥା ରାଜନୀତି ମଇଦାନ୍‌ରେ ପୁରୁଣା ଖେଳଓ୍ଵାଡ଼୍‌ ବିଏସ୍‌ ୟେଦୁରାପ୍ପା। ସପ୍ତଦଶ ଲୋକସଭା ପାଇଁ ଗତ ରବିବାର ଅପରାହ୍ଣରେ ନିର୍ବାଚନ କମିଶନ ଚୂଡ଼ାନ୍ତ ତାରିଖ ଘୋଷଣା କରିଦେବା ପରେ ପୁଣିଥରେ କର୍ଣ୍ଣାଟକ ରାଜ୍ୟ ଶାସନ କ୍ଷମତା ଅକ୍ତିଆର କରିବା ପାଇଁ ଗୋଟି ଚାଳନା ଆରମ୍ଭ କରିଛନ୍ତି ୟେଦୁରାପ୍ପା।

କର୍ଣ୍ଣାଟକର ୟରାଗାଟ୍ଟି ଠାରେ ଆୟୋଜିତ ଏକ ନିର୍ବାଚନୀ ର‍୍ୟାଲିକୁ ସୋମବାର ସମ୍ବୋଧିତ କରିବା ଅବସରରେ ଖୋଲାଖୋଲି ଘୋଷଣା କରି ୟେଦୁରାପ୍ପା କହିଛନ୍ତି ଯେ ଯଦି କର୍ଣ୍ଣାଟକରେ ବିଜେପି ୨୨ଟି ଲୋକସଭା ଆସନରେ ବିଜୟଲାଭ କରେ ତେବେ ୨୪ ଘଣ୍ଟା ମଧ୍ୟରେ ସେ କର୍ଣ୍ଣଟକର ଶାସନ କ୍ଷମତା ଅକ୍ତିଆର କରିବେ। ଏଥିରୁ କେହି ହେଲେ ସୁଦ୍ଧା ତାଙ୍କୁ ଅଟକାଇ ରଖି ପାରିବ ନାହିଁ! ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକର ୨୮ଟି ଲୋକସଭା ଆସନ ମଧ୍ୟରୁ ଏବେ ୧୬ଟିରେ ବିଜେପି ସାଂସଦ ଥିବା ବେଳେ ୧୦ଟିରେ କଂଗ୍ରେସ ଓ ୨ଟିରେ ଜନତା ଦଳ (ସେକୁଲାର) ସାଂସଦ ରହିଛନ୍ତି।

ସମ୍ବନ୍ଧିତ ଖବର