ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ଆଜି ରାଜ୍ୟସଭାରେ ଡ୍ୟାମ ସୁରକ୍ଷା ବିଲ୍, ୨୦୧୯ ପାରିତ ହୋଇଛି। ଏହି ବିଲକୁ ନେଇ ରାଜ୍ୟସଭାରେ ୪ ଘଣ୍ଟା ଧରି ଆଲୋଚନା କରାଯାଇଥିଲା। ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇସାରିଛି। ଏହି ବିଲ୍ ଉପରେ ଆଲୋଚନା ବେଳେ ବିରୋଧୀ ଦଳର ସାଂସଦମାନେ ଦାବି କରିଥିଲେ ଯେ ସରକାର ଡ୍ୟାମ ସୁରକ୍ଷା ବିଲକୁ ଏକ ଚୟନ କମିଟିକୁ ପଠାନ୍ତୁ। କାରଣ ଏହା ଏକ ରାଜ୍ୟ ବିଷୟ ଏବଂ କେନ୍ଦ୍ର ରାଜ୍ୟ ପାଇଁ ନିୟମ ତିଆରି କରିପାରିବ ନାହିଁ। ତୃଣମୂଳ କଂଗ୍ରେସ (ଟିଏମସି), ଡିଏମକେ ଏବଂ କଂଗ୍ରେସ ଭଳି ଦଳର ଅନେକ ସାଂସଦ କହିଛନ୍ତି ଯେ ଡ୍ୟାମର ନିରାପତ୍ତା ଓ ସୁରକ୍ଷା ଦାୟିତ୍ବ ରାଜ୍ୟ ସରକାରଙ୍କର ତେଣୁ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ କିପରି ଆଇନ ପ୍ରଣୟନ କରିବେ। ରାଜ୍ୟସଭାରେ ଡ୍ୟାମ୍ ସୁରକ୍ଷା ବିଲ୍ ପାରିତ ହେବା ପୂର୍ବରୁ ଅଗଷ୍ଟ ୨୦୧୯ ରେ ଲୋକସଭାରେ ଏହା ପାରିତ ହୋଇଥିଲା।

Advertisment

ଏକ ନିୟାମକ ସଂସ୍ଥା ମାଧ୍ୟମରେ ଦେଶର  ନିର୍ଦ୍ଦିଷ୍ଟ ଡ୍ୟାମର ତଦାରଖ, ଯାଞ୍ଚ, କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ପାଇଁ ଡ୍ୟାମ୍ ସୁରକ୍ଷା ବିଲରେ ବ୍ୟବସ୍ଥା ରହିଛି | ଏଥିରେ ୧୫ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ଡ୍ୟାମ କିମ୍ବା ୧୦-୧୫ ମିଟର ଉଚ୍ଚତା ବିଶିଷ୍ଟ ଡିଜାଇନ୍ ଡ୍ୟାମକୁ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ହୀରାକୁଦ ସହ ଓଡ଼ିଶାର ଆଉ କିଛି ଡ୍ୟାମକୁ ମଧ୍ୟ ଏଥିରେ ସାମିଲ କରାଯାଇପାରେ | ଏହି ବିଲ୍ ଉପରେ ଦୀର୍ଘ ଆଲୋଚନା ପରେ ଆଜି ରାଜ୍ୟସଭାରେ ଭୋଟିଂ କରାଯାଇଥିଲା, ଯାହା ପରେ ଏହି ବିଲ୍ ପାରିତ ହୋଇଥିଲା।

ଏହାପୂର୍ବରୁ ଡ୍ୟାମ ସୁରକ୍ଷା ବିଲକୁ ନେଇ ରାଜ୍ୟସଭାରେ ହୋଇଥିବା ସରଗରମ ଆଲୋଚନାରେ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଦେଶରେ ୪୨ ଟି ବନ୍ଧ ଭାଙ୍ଗିଛି। ୨୦୧୦ ରେ ଏହି ବିଲ୍ ଆଣିବାକୁ ଆଲୋଚନା ହୋଇଥିଲା ଏବଂ ଏହା ଅଗଷ୍ଟ ୨୦୧୯ ରେ ଲୋକସଭା ଦ୍ୱାରା ପାରିତ ହୋଇଛି। ଏହି ଆଇନ ତୁରନ୍ତ ପ୍ରସ୍ତୁତ କରାଯିବା ଉଚିତ୍ | ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଆଧାରରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି।

ନ୍ୟାସନାଲ ରେଜିଷ୍ଟର ଅଫ୍ ଲାର୍ଜ ଡ୍ୟାମର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତରେ ୫,୭୪୫ଟି ବଡ଼ ଡ୍ୟାମ୍ ଅଛି, ଯେଉଁଥିରୁ ୨୯୩ ଟି ୧୦୦ ବର୍ଷରୁ ଅଧିକ ପୁରୁଣା | ଏହା ବ୍ୟତୀତ ୧,୦୪୨ ଡ୍ୟାମ୍ ୫୦ ରୁ ୧୦୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ବନ୍ଧଗୁଡ଼ିକର ସୁରକ୍ଷା ଓ ଏହା ନିକଟବର୍ତ୍ତୀ ଅଂଚଳରେ ରହୁଥିବା ଲୋକଙ୍କ ଜୀବନଜୀବିକାକୁ ନଜରରେ ରଖି ଏହି ବିଲ ପାସ କରାଯାଇଛି |