‘କୋଭିଡ୍‌- ୧୯ ଟିକା ପାଇଁ ଆସନ୍ତା ବର୍ଷ ସରକାରଙ୍କ ପାଖେ ୮୦,୦୦୦ କୋଟି ଟଙ୍କା ଉପଲବ୍ଧ ହେବ କି?’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେରମ୍‌ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ପ୍ରତିଷେଧକ ଟିକା ପ୍ରସ୍ତୁତିରେ ସମଗ୍ର ବିଶ୍ୱରେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିବା ଭାରତୀୟ କମ୍ପାନି ସେରମ୍‌ ଇନଷ୍ଟିଚ୍ୟୁଟର ସିଇଓ ଆଦର୍ଶ ପୁନାୱାଲା ଆଜି (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରିଥିବା ଏକ ପ୍ରଶ୍ନକୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି।
ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ସିଇଓ ଆଦର ପୁନାୱାଲା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ପଚାରିଛନ୍ତି, ‘କୋଭିଡ୍‌- ୧୯ ଟିକା ପାଇଁ ଆସନ୍ତା ବର୍ଷ ସରକାରଙ୍କ ପାଖେ ୮୦,୦୦୦ କୋଟି ଟଙ୍କା ଉପଲବ୍ଧ ହେବ କି’? କାରଣ, ଦେଶର ସମସ୍ତଙ୍କ ପାଇଁ କରୋନାଭାଇରସ୍‌ ଟିକା କିଣିବା ଏବଂ ବିତରଣ କରିବା ନିମନ୍ତେ ସରକାରଙ୍କ ନିକଟରେ ଆସନ୍ତା ଏକ ବର୍ଷ ମଧ୍ୟରେ ୮୦,୦୦୦ କୋଟି ଟଙ୍କା ଉପଲବ୍ଧ ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)କୁ ଟ୍‌ୱିଟ୍‌ କରି ସେରମ୍‌ ସିଇଓ ପୁନାୱାଲା ପଚାରିଛନ୍ତି, ‘ତ୍ୱରିତ୍‌ ପ୍ରଶ୍ନ: ଆସନ୍ତା ଏକ ବର୍ଷ ମଧ୍ୟରେ ଭାରତ ସରକାରଙ୍କ ନିକଟରେ ୮୦,୦୦୦ କୋଟି ଟଙ୍କା ଉପଲବ୍ଧ ହେବ କି? କାରଣ, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଟିକା କିଣିବା ଏବଂ ସେମାନଙ୍କୁ ଏହା ବିତରଣ କରିବା ପାଇଁ ଏହି ଅର୍ଥ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଆବଶ୍ୟକ। ଭାରତ ପାଇଁ ଏହା ହେଉଛି ପରବର୍ତ୍ତୀ ଆହ୍ଵାନ। ଯାହାର ମୁକାବିଲା ଆମକୁ କରିବାକୁ ପଡିବ’।

ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ ଟିକା ବିକଶିତ କରୁଥିବା କମ୍ପାନିମାନଙ୍କ ମଧ୍ୟରୁ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ହେଉଛି ଅନ୍ୟତମ ଏବଂ ଦେଶରେ ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍‌ ପରୀକ୍ଷା କରୁଛି ସେରମ୍‌ ଇନଷ୍ଟିଚ୍ୟୁଟ।

ସମ୍ବନ୍ଧିତ ଖବର