ରାଞ୍ଚି: ବିଧାନସଭାରେ ଶକ୍ତି ପରୀକ୍ଷା ପରେ ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କ କ୍ୟାବିନେଟ ବିସ୍ତାର ହୋଇପାରେ। ଏହା ସହିତ ଯେଉଁମାନେ ଝ‌ାଡଖଣ୍ଡରେ ମନ୍ତ୍ରୀ ହେବେ ସେମାନଙ୍କ ନାମ ଉପରେ ଆଲୋଚନା ମଧ୍ୟ ତୀବ୍ର ହୋଇଛି। ଏଥର ଝାଡଖଣ୍ଡର ରାଜନୈତିକ ମହଲରେ ହେମନ୍ତ ସୋରେନଙ୍କ ପତ୍ନୀ ଏବଂ ଗାଣ୍ଡେୟ ବିଧାୟକ କଳ୍ପନା ସୋରେନଙ୍କୁ ମନ୍ତ୍ରୀ କରିବା ନେଇ ଚର୍ଚ୍ଚା ହେଉଛି।

Advertisment

ଜେଏମଏମ ମୁଖପାତ୍ର ମନୋଜ ପାଣ୍ଡେ କ୍ୟାବିନେଟ ସମ୍ପ୍ରସାରଣ ନେଇ କହିଛନ୍ତି ଏଥର ଜେଏମଏମରୁ ଜଣେ ନୂତନ ମନ୍ତ୍ରୀ ହୋଇ ପାରନ୍ତି। ହେମନ୍ତ ସୋରେନ ଜେଲ ଯିବା ପରେ ଝାଡଖଣ୍ଡର ରାଜନୀତିରେ କଳ୍ପନା ସୋରେନ ବେଶ୍ ସକ୍ରିୟ ହୋଇଥିଲ। ତାଙ୍କୁ ଆଗାମୀ ଦିନରେ ନିଶ୍ଚିତ ଭାବରେ କିଛି ବଡ ଦାୟିତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ମନୋଜ ପାଣ୍ଡେ ଏ ବିଷୟରେ କହିଛନ୍ତି କେବଳ ଗୁରୁଜୀ ଏବଂ ହେମନ୍ତ ସୋରେନ୍ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସୂଚନା ଅନୁଯାୟୀ, ହେମନ୍ତ ସୋରେନ କ୍ୟାବିନେଟରେ ସିଏମଙ୍କ ବ୍ୟତୀତ କ୍ୟାବିନେଟକୁ ୬+ ୪ + ୧ ଫର୍ମୁଲା ଅନୁଯାୟୀ ବିସ୍ତାର କରାଯିବ। ଏହାର ଅର୍ଥ ହେଉଛି ଏଥର ହେମନ୍ତ ସୋରେନଙ୍କ କ୍ୟାବିନେଟରେ ୬ ଜେଏମଏମ, ୪ କଂଗ୍ରେସ ଏବଂ ୧ ଆରଜେଡି କୋଟା ମନ୍ତ୍ରୀ ହୋଇପାରିବେ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମିଥିଲେଶ ଠାକୁର, ବସନ୍ତ ସୋରେନ, ଦୀପକ ବିରୁଆ, ହାଫିଜୁଲ ହସନ, ବେବି ଦେବୀ, ସତ୍ୟାନନ୍ଦ ଭୋକ୍ତା ନୂତନ କ୍ୟାବିନେଟରେ ମନ୍ତ୍ରୀ ହେବେ ବୋଲି ନିଶ୍ଚିତ ହୋଇଛି। ଜେଏମଏମରୁ ବୈଦ୍ୟନାଥ ରାମ ଦ୍ୱାଦଶ ମନ୍ତ୍ରୀ ଭାବରେ କ୍ୟାବିନେଟରେ ସ୍ଥାନ ପାଇପାରନ୍ତି। କଂଗ୍ରେସ କୋଟାରୁ ୪ ଜଣ ମନ୍ତ୍ରୀଙ୍କ ନାମ ଉପରେ ଆଲୋଚନା କରାଯାଉଛି।

ଜୁଲାଇ ୮ରେ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିବେ। ଜୁଲାଇ ୯ ରେ କ୍ୟାବିନେଟର ସମ୍ପ୍ରସାରଣ ଆଶା କରାଯାଉଛି। ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଟ ୧୨ କ୍ୟାବିନେଟ ମନ୍ତ୍ରୀ ପଦ ଅଛି। ସେଥିମଧ୍ୟରୁ ଜେଏମଏମ୍‌ର ୬ , କଂଗ୍ରେସର ୪ ଏବଂ ଆରଜେଡିର ୧ ମନ୍ତ୍ରୀ ଅଛନ୍ତି। ଏବେ ପ୍ରଶ୍ନ ଉଠୁଛି କଳ୍ପନା ସୋରେନଙ୍କୁ ସ୍ୱାମୀ ହେମନ୍ତ ସୋରେନଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ପଦ ଦିଆଯିବ କି?

ଜେଏମଏମ ଭିତରେ ଏକ ଜୋରଦାର ଆଲୋଚନା ଚାଲିଛି କି କଳ୍ପନା ସୋରେନଙ୍କୁ ମନ୍ତ୍ରୀ କରାଯିବ ଅବା ତାଙ୍କୁ ଜେଏମଏମ ସଂଗଠନରେ ଏକ ବଡ ଭୂମିକା ଦିଆଯିବା ତେବେ ବିଧାନସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି। ଏଭଳି ପରିସ୍ଥିତିରେ ହେମନ୍ତ ସୋରେନ ସରକାର ଚଳାଇବା ଜାରି ରଖିବେ ଏବଂ ପତ୍ନୀ କଳ୍ପନା ସୋରେନ ସଂଗଠନକୁ ସୁଦୃଢ଼ କରିବାରେ ସମୟ ବିତାଇବେ ବୋଲି ଏକ ବଡ଼ ସମ୍ଭାବନା ମଧ୍ୟ ରହିଛି।