ନୂଆଦିଲ୍ଲୀ: ହାଇଦ୍ରାବାଦ ମେଟ୍ରୋ ବିକ୍ରି ହେବାକୁ ଯାଉଛି କି? ୯୦ ପ୍ରତିଶତ ଅଂଶଧନ ଥିବା ଏଲ ଆଣ୍ଡ ଟି କମ୍ପାନୀର ସଭାପତି ଆର ଶଙ୍କର ରମଣ ଏହାକୁ ଗୁରୁତର ସହ ବିଚାର କରୁଛନ୍ତି। ୨୦୨୬ ପରେ ହାଇଦ୍ରାବାଦ ମେଟ୍ରୋ ପ୍ରକଳ୍ପ ବିକ୍ରୟ କରିବାକୁ ଏଲ ଆଣ୍ଡ ଟି ଯୋଜନା କରୁଛି | ତେବେ ଯଦି ଏହା ହୁଏ, ତେବେ ଦେଶରେ ଏହା ହେବ ପ୍ରଥମ ଘଟଣା ଯେଉଁଥିରେ ଏକ କମ୍ପାନୀ ମେଟ୍ରୋ ପ୍ରକଳ୍ପ ବିକ୍ରୟ କରିବାକୁ ଚିନ୍ତା କରୁଛି। କମ୍ପାନୀ ନିର୍ଦ୍ଦେଶକ ଆର ଶଙ୍କର ରମଣ କହିଛନ୍ତି ଯେ ୨୦୨୬ ପରେ ହାଇଦ୍ରାବାଦ ମେଟ୍ରୋ ପ୍ରକଳ୍ପ ବିକ୍ରୟ କରିବାକୁ ଏଲ ଆଣ୍ଡ ଟି ଯୋଜନା କରୁଛି। ସେ କହିଛନ୍ତି ଯେ କଂଗ୍ରେସ ସରକାର ଆରମ୍ଭ କରିଥିବା ମାଗଣା ବସ୍ ଯୋଜନା (ମହାଲକ୍ଷ୍ମୀ ବସ୍ ସ୍କିମ୍) ଯୋଗୁଁ ମେଟ୍ରୋରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ମହିଳାମାନେ ବସ୍‌ରେ ଅଧିକ ଯାତ୍ରା କରୁଛନ୍ତି। ଯାହାଦ୍ୱାରା ମେଟ୍ରୋରେ ଯାତ୍ରୀଙ୍କ ସଂଖ୍ୟା କମୁଛି ଆଉ ଯଦି ଲଗାତାର କ୍ଷତି ବଢିଚାଲିବ ତେବେ ବାଧ୍ୟ ହୋଇ କମ୍ପାନୀ ମେଟ୍ରୋ ପ୍ରକଳ୍ପ ବିକ୍ରି କରିବ |

Advertisment

ଉଲ୍ଲେଖ ଥାଉ କି ଗତ ବର୍ଷ ୩୦ ନଭେମ୍ବରରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଫଳାଫଳ ୩ ଡିସେମ୍ବରରେ ଆସିଥିଲା। ଆଉ କଂଗ୍ରେସ ଏହାର ଇସ୍ତାହାରରେ ଲୋଭନୀୟ ପ୍ରସ୍ତାବ ଘୋଷଣା କରିଥିଲା | ଏଥିରେ ମହାଲକ୍ଷ୍ମୀ ବସ୍ ଯୋଜନା ଥିଲା | ଏହି ଯୋଜନା ଅଧୀନରେ ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମ ଦ୍ୱାରା ପରିଚାଳିତ ବସ୍‌ରେ ସମସ୍ତ ବୟସ ବର୍ଗର ବାଳିକା ଏବଂ ମହିଳା ଏବଂ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ମାଗଣାରେ ଯାତ୍ରା କରିପାରିବେ ବୋଲି କଂଗ୍ରେସ ପ୍ରତିଶୃତି ଦେଇଥିଲା। ପ୍ରତିଶ୍ରୁତିର ପ୍ରଭାବ ଏପରି ଥିଲା ଯେ ବିଆରଏସ ଏବଂ ବିଜେପି ଖୁବ୍ କମ୍ ଆସନ ପାଇଥିଲେ ଏବଂ କଂଗ୍ରେସ ଏକ ବୃହତ ବ୍ୟବଧାନରେ ସରକାର ଗଠନ କରିଥିଲା। ଡିସେମ୍ବର ୯ ରେ କଂଗ୍ରେସ ସରକାର ପ୍ରଥମ କ୍ୟାବିନେଟ ବୈଠକରେ ମାଗଣା ବସ୍ ଯାତ୍ରା ଯୋଜନା ଆରମ୍ଭ କରିଥିଲେ।