ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ହେବା ଏବଂ ପରେ ତାଙ୍କଠାରୁ ମୁଖ୍ୟମନ୍ତ୍ରୀ ପଦ ଛଡ଼ାଇ ନେଇ ନିଜେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଏକନାଥ ସିନ୍ଦେ। ସିନ୍ଦେ କିଭଳି ଭାବେ ମହାରାଷ୍ଟ୍ରରେ କ୍ଷମତା ବଦଳାଇଦେଲେ ତାହା ସମସ୍ତେ ଭଲ କରି ଜାଣନ୍ତି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ପ୍ରଥମ ଥର ପାଇଁ ଜଣେ କୁନି ଝିଅ ପ୍ରଶ୍ନ ପଚାରିଥିବାର ଦେଖାଯାଇଛି। ସବୁବେଳେ ସାମ୍ବାଦିକ ଏବଂ ବିପକ୍ଷ ନେତାଙ୍କୁ ଜବାବ ଦେଉଥିବା ସିନ୍ଦେ କୁନି ଝିଅ ଆଗରେ ପ୍ରଶ୍ନର ଉତ୍ତର ରଖିବା ପୂର୍ବରୁ କିଛି ସମୟ ଅଟକି ଯାଇଥିଲେ ବୋଲି ଜଣାପଡ଼ିଛି।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଏକ କୁନି ଝିଅଟି ସିନ୍ଦେଙ୍କ ବାସଭବନକୁ ଯାଇ ତାଙ୍କୁ ଗୌହାଟୀ ବିଷୟରେ ପ୍ରଶ୍ନ କରୁଛନ୍ତି। କୁନି ଝିଅଟି ପଚାରୁଛି ଯେ ଯଦି ମୁଁ ବନ୍ୟା ପ୍ରପୀଡିତଙ୍କୁ ପାଣି ଭିତରକୁ ଯାଇ ସାହାଯ୍ୟ କରେ, ତେବେ ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବି କି? କୁନି ଝିଅଟି ଏହି ପ୍ରଶ୍ନ ପଚାରିବା ପରେ ସେଠାରେ ଉପସ୍ଥିତ ସମସ୍ତେ ପ୍ରଥମେ ହସିବାକୁ ଲାଗିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଝିଅର କାନ୍ଧରେ ହାତ ରଖି କହିଥିଲେ, ‘ଏଭଳି ହେବ, ନିଶ୍ଚିତ ହେବ’। କେବଳ ଏତିକି ନୁହେଁ, ରତ୍ନଗିରିରେ ରହୁଥିବା କୁନି ଝିଅଟି ସିନ୍ଦେଙ୍କୁ କହିଥିଲେ ଯେ ପୂର୍ବରୁ ମୁଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ କରୁଥିଲି, କିନ୍ତୁ ବର୍ତ୍ତମାନ ଆପଣଙ୍କୁ ମଧ୍ୟ ଦେଖିବାକୁ ଭଲ ଲାଗୁଛି।