ନୂଆଦିଲ୍ଲୀ : ଆସନ୍ତା ନିର୍ବାଚନରେ କେନ୍ଦ୍ରରେ ଶାସନ କରୁଥିବା ମୋଦୀ ସରକାରକୁ ଗାଦିଚ୍ୟୁତ କରିବାକୁ ବିରୋଧୀ ଦଳମାନେ ଏକତ୍ରିତ ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି । କିନ୍ତୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ମେଣ୍ଟ ମଧ୍ୟରେ ଥିବା ମତଭେଦ ବାହାରିବାରେ ଲାଗିଛି । ମୁଖ୍ୟତଃ ଆସନ ବୁଝାମଣା ଓ ପ୍ରଧାନମନ୍ତ୍ରୀ ପଦ ପାଇଁ ଚେହେରା କିଏ ତାହାକୁ ନେଇ ମତଭେତ ରହିଛି । ପୁଣି ମେଣ୍ଟର ଅଧିକାଂଶ ସହଯୋଗ ଦଳଙ୍କ ମଧ୍ୟରେ ଆଦର୍ଶଗତ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ରହିଛି ।
ତେବେ ଏଠାରେ ପ୍ରଶ୍ନ ଉଠେ, ଇଣ୍ଡିଆ ମେଣ୍ଟ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ତିଷ୍ଠି ପାରିବ ତ? ଏ ସଂପର୍କରେ ଲୋକମାନେ କଣ ଭାବୁଛନ୍ତି ତାହା ଜାଣିବାକୁ ଏକ ଜନମତ ସର୍ଭେ କରାଯାଇଥିଲା ।
ଏବିପି ନ୍ୟୁଜ-ସି ଭୋଟର ଦ୍ବାରା କରାଯାଇଥିବା ଏହି ମତାମତ ସର୍ଭେରେ ୧୩ ହଜାର ୧୧୫ ଜଣଙ୍କୁ ସାମିଲ କରାଯାଇଥିଲା । ଡିସେମ୍ବର ୧୫ରୁ ଡିସେମ୍ବର ୨୧ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେରେ ପ୍ରଶ୍ନ ପଚରା ଯାଇଥିଲା-ବିରୋଧୀ ମେଣ୍ଟ ନିର୍ବାଚନ ପର୍ଯ୍ୟନ୍ତ ଏକଜୁଟ ରହିପାରିବ କି? ଏହି ସର୍ଭେରେ ୩୭% ଲୋକ 'ହଁ' କହିଥିଲେ। ୫୦ ପ୍ରତିଶତ ଲୋକ 'ନା' ଉତ୍ତର ଦେଇଛନ୍ତି। ୧୩ ପ୍ରତିଶତ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି । ସରଳଭାଷାରେ କହିଲେ ଇଣ୍ଡିଆ ମେଣ୍ଟ ଯେ ତିଷ୍ଠି ରହିବ ସେନେଇ ଅଧିକାଂଶ ଲୋକଙ୍କ ଭରସା ନାହିଁ ।