ସାରା ବିଶ୍ବରେ ପ୍ରାୟ ୧୭୦ଟି ସଂସ୍ଥା କରୋନା ଟିକା ପ୍ରସ୍ତୁତିରେ ଲାଗିଛନ୍ତି। ଭାରତର ୨ଟି, ଚୀନ୍‌ର ୪ଟି, ଆମେରିକାର ୪ଟି, ବ୍ରିଟେନ୍‌ର ୨ଟି ଟିକା ପ୍ରସ୍ତୁତି ଚାଲିଛି। ତହିଁରୁ ୨୪ଟି ଟିକା ମାନବ ପରୀକ୍ଷଣ ପର୍ଯ୍ୟାୟରେ ରହିଛି। ୧୫ଟି ପ୍ରଥମ ପର୍ଯ୍ୟାୟ, ୧୨ଟି ଦ୍ବିତୀୟ ପର୍ଯ୍ୟାୟ ଓ ୪ଟି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଡା.ତ୍ରିଭୁବନ ମହାପାତ୍ର। ତାଙ୍କ କହିବା ଅନୁଯାୟୀ ଦେଶରେ ଏବେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍, ଜାଇଡସ୍ କ୍ୟାଡିଲା, ଅକ୍ସଫୋର୍ଡ ଇନଷ୍ଟିଚ୍ୟୁଟ୍ ଓ ସିରିମ୍ ଇନଷ୍ଟିଚ୍ୟୁଟ୍‌ର ମିଳିତ ଉଦ୍ୟମରେ କୋଭିସିଲ୍‌ଡ ବାଦ୍ ଆହୁରି ୪ଟି ଟିକା ପ୍ରି-କ୍ଲିନିକାଲ ପର୍ଯ୍ୟାୟରେ ରହିଛି। ତେବେ ଅନ୍ୟ ଦେଶମାନେ ଟିକାର ମାନବ ପରୀକ୍ଷଣ ଆରମ୍ଭ ଚଳାଇଥିବା ବେଳେ ରୁଷର ଦୁଇଟି ଟିକା ସ୍ପୁଟନିକ୍ ୫ ଓ ଏପିଭାକ୍ସ ପ୍ରସ୍ତୁତ ହୋଇସାରିଛି।

Advertisment

କରୋନାର ମୁଖ୍ୟତଃ ୫ ପ୍ରକାରର ଟିକା ପ୍ରସ୍ତୁତି ଚାଲିଛି। ‌ଜେନେଟିକ୍, ଭାଇରାଲ ଭେକ୍ଟର ଭ୍ୟାକସିନ୍, ପ୍ରୋଟିନ୍ ବେସଡ୍‌ ଭ୍ୟାକସିନ୍, ହୋଲ୍‌ ଇନଆକ୍ଟିଭେଟେଡ୍‌ ଓ ରି ପରପଜ୍ ଭ୍ୟାକସିନ୍। ୧୦ଟି ଜେନେଟିକ୍ ଟିକା, ‌୯ଟି ପ୍ରୋଟିନ୍ ଟିକା, ୪ଟି ହୋଲ୍‌ ଇନଆକ୍ଟିଭେଟେଡ୍‌ ଓ ଗୋଟିଏ ରି ପରପଜ୍ ଟିକାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆମେରିକାରେ କିନ୍ତୁ ଏମ୍‌ ବା ମେସେଞ୍ଜର ଆରଏନ୍‌ଏ ଟିକା ପ୍ରସ୍ତୁତି ଚାଲିଛି। ଏହି ପ୍ରକାରର ଟିକା ନିରାପଦ ଓ ଭଲ ଟିକା ହେବ ବୋଲି ଆଶା କରାଯାଉଛି। ଦେଶରେ ଭାରତ ବାୟୋଟେକ୍ ପ୍ରସ୍ତୁତ ଟିକା ହୋଲ୍‌ ଇନଆକ୍ଟିଭେଟେଡ୍‌ ଟିକା ହୋଇଥିବା ବେଳେ କ୍ୟାଡିଲା ପ୍ଲାଜମିଡ୍‌ ବେସଡ୍‌ ଟିକା ପ୍ରସ୍ତୁତ କରାଯାଉଛି। ଟିକା ପ୍ରସ୍ତୁତ‌ିରେ ଭାରତ ପାଖରେ ବୈଷୟିକ ଅଭିଜ୍ଞତା ରହିଛି। ଏହାସହ ଭାରତରେ ଟିକା ପ୍ରସ୍ତୁତ କରାଗଲେ ଅନ୍ୟ ଦେଶ ତୁଳନାରେ ଟିକାର ଦର ମଧ୍ୟ କମ୍ ରହିବ। ଏହାସହ ଭାରତ ଅନ୍ୟ ଦେଶକୁ ରପ୍ତାନି କରିପାରିବ। ତେଣୁ ଭାରତ ଗେମ ଚେଞ୍ଜର ହୋଇପାରିବ ବୋଲି ଡା.ମହାପାତ୍ର କହିଛନ୍ତି।

publive-image

ଦେଶରେ ଏବେ ୩ଟି ଟିକାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଭାରତ ବାୟୋଟେକ୍‌ ଓ ଆଇସିଏମ୍‌ଆର ମିଳିତ ଉଦ୍ୟମରେ କୋଭାକ୍ସିନ୍, କ୍ୟାଡିଲାର ଜାଇକବ ଡି’ ଏବଂ ଆକ୍ସଫୋର୍ଡ ଓ ସେରମ୍ ଇନଷ୍ଟିଚ୍ୟୁଟ୍‌ ମିଳିତ ଉଦ୍ୟମରେ ଟିକା ପ୍ରସ୍ତୁତି ଚାଲିଛି। ଅକ୍ସଫୋର୍ଡର ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇସାରିଲାଣି। ସବୁ ଠିକ୍ ଚାଲିଲେ ଆସନ୍ତା ଡିସେମ୍ବର କିମ୍ବା ଜାନୁଆରି ସୁଦ୍ଧା ଟିକା ଉପଲବ୍ଧ ହେବ ବୋଲି କହିଛନ୍ତି ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋ ଏଣ୍ଟୋରୋଲୋଜି ବିଶେଷଜ୍ଞ ଡା. ମନୋଜ ସାହୁ। ସଂପୂର୍ଣ୍ଣ ଦେଶୀୟ ଟିକା କୋଭାକ୍ସିନ୍ ଓ ଜାଇକବ୍‌ ଡି’ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହେବା ପାଇଁ ଡିସେମ୍ବର କିମ୍ବା ଜାନୁଆରି ବେଳକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହେବା ନେଇ ଆଶା ରହିଛି। ସେତେବେଳେ ଯଦି ଟିକା ନିରାପଦ ଥିବ ତା’ହାଲେ ସଂସ୍ଥା ପକ୍ଷରୁ ଏଥିପାଇଁ ଅନୁମୋଦନ ମଗାଯିବ। ଅକ୍ସଫୋର୍ଡ ଟିକା ନଭେମ୍ବର ସୁଦ୍ଧା ପରୀକ୍ଷଣ ଶେଷ କରି ନିୟନ୍ତ୍ରଣ କମିଟି ପକ୍ଷରୁ ଅନୁମୋଦନ ପାଇଁ ଆବେଦନ କରାଯିବ। ଯଦି ଟିକା ନିରାପଦ ରହିବ ତା’ହାଲେ ଡିସେମ୍ବର ସୁଦ୍ଧା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ। ଅକ୍ସଫୋର୍ଡ ଟିକାର ପ୍ରଭାବ ଭାରତରେ ଦେଖାଯିବାର ସମ୍ଭାବନା ଥିବାରୁ କେନ୍ଦ୍ର ସରକାର ସେରମ୍ ଇନଷ୍ଟିଚ୍ୟୁଟ୍‌କୁ ଟିକାର ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିସାରିଛନ୍ତି। ରୁଷର ସ୍ପୁଟନିକ୍ ‘ଭି’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇନାହିଁ। ଏହାସତ୍ବେ ରୁଷ ଏହାକୁ ଅନୁମୋଦନ ଦେବା ସହିତ ଉତ୍ପାଦନ ଆରମ୍ଭ କରିଛି। ଭାରତ ସହିତ ରୁଷ ଆଲୋଚନା ହୋଇଥିବା ବେଳେ ଏଠାରେ ମାନବ ପରୀକ୍ଷଣ ସହିତ ଏହାର ଉତ୍ପାଦନରେ ଭାରତ ସହାୟତା ପାଇଁ ଆଲୋଚନା ହୋଇଛି। ମାତ୍ର କିଛି ଶେଷ ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି ଡା.ସାହୁ।