କର୍ଣ୍ଣାଟକରେ ଉଠିବ କି ହିଜାବ ଉପରେ ଲାଗୁ ନିଷେଧାଜ୍ଞା ?

ବେଙ୍ଗାଲୁରୁ : କର୍ଣ୍ଣାଟକରେ ହିଜାବ ପ୍ରସଙ୍ଗକୁ ନେଇ ପୁଣି ଥରେ ରାଜନୀତି ସରଗରମ ହେବାରେ ଲାଗିଛି । ଆମନେଷ୍ଟି ଇଣ୍ଡିଆ କର୍ଣ୍ଣାଟକର ନୂଆ ସରକାରଙ୍କୁ ହିଜାବ ନିଷେଧାଦେଶ ପ୍ରତ୍ୟାହାର କରିବାକୁ ଦାବି କରିଥିବା ବେଳେ ଏବେ ରାଜ୍ୟ ସରକାର ଏହାକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କର୍ଣ୍ଣାଟକ ମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର କହିଛନ୍ତି, ଭବିଷ୍ୟତରେ ଆମେ କ’ଣ ଭଲ କରିପାରିବା ତାହା ଦେଖିବୁ, କିନ୍ତୁ ବର୍ତ୍ତମାନ ଆମକୁ କର୍ଣ୍ଣାଟକବାସୀଙ୍କୁ ଦିଆଯାଇଥିବା ୫ଟି ଗ୍ୟାରେଣ୍ଟିର ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ। ଗତବର୍ଷ ତତ୍କାଳୀନ ବିଜେପି ସରକାରଙ୍କ ନିଷ୍ପତ୍ତି ପରେ ହିଜାବ ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହେବା ସହ ସ୍କୁଲ କଲେଜରେ ଡ୍ରେସ୍ କୋଡ୍ ଲାଗୁ ହୋଇଥିଲା। ଏହି ପ୍ରସଙ୍ଗରେ ହାଇକୋର୍ଟ ଙ୍କ ରାୟକୁ ମଧ୍ୟ ବଜାୟ ରଖାଯାଇଥିଲା ।

ଗତ ସପ୍ତାହରେ କର୍ଣ୍ଣାଟକରେ କଂଗ୍ରେସର ମୁସଲମାନ ବିଧାୟକ କନେଜ୍ ଫାତିମା ସ୍କୁଲରେ ହିଜାବ ଉପରେ ଲାଗିଥିବା କଟକଣା ହଟାଇବା ବିଷୟରେ କହିଥିଲେ। ସେ କହିଥିଲେ ଯେ କଂଗ୍ରେସ ଖୁବଶୀଘ୍ର କର୍ଣ୍ଣାଟକର ସ୍କୁଲରେ ହିଜାବ ଉପରେ ଲାଗିଥିବା ନିଷେଧାଦେଶ କୁ ହଟାଇବ ଏବଂ ଝିଅମାନଙ୍କୁ ସ୍କୁଲକୁ ଡାକିବ ଯାହାଦ୍ୱାରା ସେମାନେ ଆରାମରେ ପରୀକ୍ଷା ଦେଇପାରିବେ । କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ଡିକେ ଶିବକୁମାର ସାମ୍ପ୍ରଦାୟିକ ଭିତ୍ତିରେ କରାଯାଇଥିବା ଆଇନକୁ ପ୍ରତ୍ୟାହାର କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ।

ସମ୍ବନ୍ଧିତ ଖବର