‘ଯଦି ଚାଷୀଙ୍କ ସମସ୍ୟାର ସମାଧାନ ନହୁଏ; ତେବେ ଅନଶନ କରିବି’: କୃଷି ମନ୍ତ୍ରୀ ତୋମାରଙ୍କୁ ପତ୍ର ଲେଖିଲେ ଆନ୍ନା ହାଜାରେ

ନୂଆଦିଲ୍ଲୀ: ‘ଯଦି ଖୁବ୍‌ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କେନ୍ଦ୍ର ସରକାର ନକରନ୍ତି, ତେବେ ମୁଁ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନଶନ କରିବି’ ବୋଲି ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସାମାଜିକ କର୍ମୀ ଆନ୍ନା ହାଜାରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏକ ପତ୍ର ଲେଖି ଜଣାଇ ଦେଇଛନ୍ତି। କୃଷି ମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଲେଖିଥିବା ପତ୍ରରେ ଆନ୍ନା କହିଛନ୍ତି ଯେ ‘ମୁଁ ଆପଣଙ୍କୁ ଆନ୍ଦୋଳନର ତାରିଖ ଏବଂ ସ୍ଥାନ ବିଷୟରେ ଜଣାଇବି’।

ମହାରାଷ୍ଟ୍ରର ସାମାଜିକ କାର୍ଯ୍ୟକର୍ତ୍ତା ତଥା ’ଦୁର୍ନୀତି ବିରୋଧରେ ଭାରତ’ ଆନ୍ଦୋଳନର ମୁଖ୍ୟ ପୁରୋଧା ଆନ୍ନା ହାଜାରେ କହିଛନ୍ତି ଯେ ନୂତନ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କୁ ଓ ସେମାନଙ୍କର ଦାବୀକୁ ସେ ସମର୍ଥନ କରୁଛନ୍ତି। ଚାଷୀମାନଙ୍କୁ ସେମାନଙ୍କର ହକ୍‌ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ଦାବୀ କରି କୃଷକମାନେ ଯେଉଁ ଆନ୍ଦୋଳନ ଆରମ୍ଭ କରିଛନ୍ତି, ସେ ତାହାକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରୁଛନ୍ତି। କୃଷକମାନଙ୍କର ଦାବୀ ଯଥାର୍ଥ ଥିବାବେଳେ ସରକାର ସେମାନଙ୍କର ଦାବୀ ପ୍ରତି କର୍ଣ୍ଣପାତ ନକରି ନିଜ ଜିଦ୍‌ରେ ଅଟଳ ରହିବା ପରିତାପର ବିଷୟ।

ଉଲ୍ଲେଖଯୋଗ୍ୟ, କୃଷକଙ୍କ ଆୟରେ ଉନ୍ନତି ଭଳି ପ୍ରସଙ୍ଗରେ ଆନ୍ନା ହାଜାରେ ୨୯ ଜାନୁଆରି ୨୦୧୯ରେ ଅନଶନ ଆରମ୍ଭ କରିଥିଲେ। ସେତେବେଳେ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଆଠ ଦିନ ପରେ ରାଲେଗାଓଁ ସିଦ୍ଧରେ ହାଜାରେଙ୍କୁ ଭେଟିଥିଲେ। ଫଡନାଭିସ୍‌ ହାଜାରେଙ୍କୁ ତତ୍କାଳୀନ କୃଷି ମନ୍ତ୍ରୀଙ୍କଠାରୁ ଏକ ଚିଠି ଦେଇ ପ୍ରତିଶ୍ରୁତି ଦେଇଥିଲେ ଯେ ପୂର୍ବତନ କୃଷି ମନ୍ତ୍ରୀ ତଥା ବିଭିନ୍ନ କୃଷକ ସଂଗଠନର ପ୍ରତିନିଧୀଙ୍କ ସମେତ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯିବ ଏବଂ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଅକ୍ଟୋବର ୨୦୧୯ ସୁଦ୍ଧା ପ୍ରସ୍ତୁତ ଏକ ରିପୋର୍ଟ ପ୍ରସ୍ତୁତ ହେବ। କିନ୍ତୁ, ଏ ପ୍ରତିଶ୍ରୁତି ଏଯାବତ୍‌ ପୂରଣ ହୋଇନାହିଁ।

ତେଣୁ, ଚାଷୀଙ୍କ ହକ୍‌ ପୂରଣ ପାଇଁ ମୁଁ ଅନଶନ ଆରମ୍ଭ କରିବି ଏବଂ ସରକାର ବଳପୂର୍ବକ ଭାବେ ଚାଷୀଙ୍କ ଆନ୍ଦୋଳନକୁ ଦମନ କରିବାକୁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ସଫଳ ହେବାକୁ ଦେବି ନାହିଁ।

ସମ୍ବନ୍ଧିତ ଖବର