ଏନ୍‌ଡିଏ ୪୦୦ ଟପିବ କି? ଅଯୋଧ୍ୟା ସମେତ ୫ ଭିଆଇପି ଆସନର ସ୍ଥିତି

ଲକ୍ଷ୍ନୌ: ଲୋକସଭା ନିର୍ବାଚନ-୨୦୨୪ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ସରିଛି। ପଞ୍ଚମ ପର୍ଯ୍ୟାୟ ଭୋଟ୍‌ ମେ ୨୦ରେ ଅନୁଷ୍ଠିତ ହେବ। ରାମ ମନ୍ଦିର ପ୍ରସଙ୍ଗ ଚଳିତ ନିର୍ବାଚନରେ ଦେଶବ୍ୟାପୀ ଜୋରଦାର ଭାବେ ଉଠାଯାଉ ନଥିଲେ ମଧ୍ୟ ଉତ୍ତରପ୍ରଦେଶରେ ଏକ ସ୍ବାଭାବିକ ‘ରାମ ଲହର’ ଜାରି ରହିଛି ବୋଲି କୁହାଯାଉଛି। ତେବେ ଏହା ଏନ୍‌ଡିଏ ପାଇଁ ୪୦୦ ଆସନ ଦେବାରେ ସହାୟକ ହେବ କି? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ୟୁପିର ଅନେକ ପ୍ରମୁଖ ଆସନର ଭୋଟରମାନେ ରାମ ମନ୍ଦିର ଦ୍ୱାରା ପ୍ରଭାବିତ ହେବେ ବୋଲି ବିଜେପିର ଆଶା ରହିଛି। ଏହାକୁ ଆଧାର କରି ୟୁପିରେ ୮୦ରୁ ୮୦ ଆସନ ଜିତି ଏନ୍‌ଡିଏର ‘୪୦୦ ପାର୍‌’ ଲକ୍ଷ୍ୟ ହାସଲ କରିବାକୁ ବିଜେପି ଯୋଜନା କରିଛି। ଫୈଜାବାଦ, ରାଏବରେଲି, ଆମେଥି, ଲକ୍ଷ୍ନୌ, କୈସରଗଞ୍ଜ ଆସନ ସମେତ ୧୪ଟି ଆସନରେ ମେ ୨୦ରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବ। ୨୦୧୯ରେ ବିଜେପି ଏହି ୧୪ଟି ଆସନରୁ ୧୩ଟିରେ ବିଜୟୀ ହୋଇଥିଲା। ଏହି ଷ୍ଟ୍ରାଇକ୍ ରେଟ୍ ବଜାୟ ରଖିବା କିମ୍ବା ରାଏବରେଲିକୁ ମଧ୍ୟ ଜିତି ଶତ ପ୍ରତିଶତ ଷ୍ଟ୍ରାଇକ୍‌ ରେଟ୍‌ରେ ପହଞ୍ଚିବାକୁ ବିଜେପି ସବୁ ପ୍ରୟାସ ଚଳାଇଛି।

ରାଜନୈତିକ ବିଶ୍ଳେଷକ ସଞ୍ଜୟ ସିଂହ କହିଛନ୍ତି ଯେ ଆମେଥି ଆସନରେ ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି ଦଳର କର୍ମୀଙ୍କୁ ନିରାଶ କରିଛି। ରାମ ଲହରର ପ୍ରଭାବ ଆମେଥିରେ କଂଗ୍ରେସ ସ୍ଥିତିକୁ ଆହୁରି ଜଟିଳ କରିବ ଏବଂ ରାଏବରେଲିରେ ମଧ୍ୟ ବିଜେପି ଏହାର ଫାଇଦା ଉଠାଇବ। ସୂଚନାଯୋଗ୍ୟ, ଅଯୋଧ୍ୟାଠାରୁ ମାତ୍ର ଅଢ଼େଇ ଘଣ୍ଟା ଦୂରରେ ରହିଛି ରାୟବରେଲି ଆସନ। ଏଥର ରାହୁଲ ଏଠାରୁ ନିର୍ବାଚନ ଲଢୁଛନ୍ତି ଏବଂ ଏହି ଆସନକୁ ଗାନ୍ଧୀ ପରିବାରର ଗଡ଼ ବୋଲି କୁହାଯାଏ । ସବୁଠାରୁ ବଡ ପ୍ରଶ୍ନ ହେଉଛି ରାହୁଲଙ୍କ ପାଇଁ ଏଠାରେ ପ୍ରତିଦ୍ୱନ୍ଦ୍ୱିତା ଏକତରଫା କି ? ରାମ ମନ୍ଦିର ନିର୍ମାଣ ପରେ ପରିସ୍ଥିତି ବଦଳିଯାଇଛି କି? ୨୦୦୯ରୁ ୨୦୧୯ ମଧ୍ୟରେ ତିନୋଟି ନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହି ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ। ଗତ ୩ଟି ନିର୍ବାଚନରେ କଂଗ୍ରେସର ଭୋଟ୍ ୧୬ ପ୍ରତିଶତ ହ୍ରାସ ପାଇଛି। ଆମେଥିରେ କଂଗ୍ରେସ ନେତା କେଏଲ ଶର୍ମା ମୈଦାନକୁ ଓହ୍ଲାଇଛନ୍ତି। ରାହୁଲଙ୍କ ଅନୁପସ୍ଥିତି ସ୍ମୃତି ଇରାନୀଙ୍କ ପାଇଁ ଅଧିକ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ୨୦୧୯ ନିର୍ବାଚନରେ ସ୍ମୃତି ଇରାନୀ ୫୦ ପ୍ରତିଶତ ଭୋଟ ପାଇ ଚମତ୍କାର ବିଜୟ ହାସଲ କରିଥିଲେ। ଆମେଥି, ରାୟବରେଲି ପରେ ଏବେ ଲକ୍ଷ୍ନୌ ଆସନ ମଧ୍ୟ ଚର୍ଚ୍ଚାରେ ରହିଛି। ରାଜନାଥ ସିଂହ ବିଜୟର ହ୍ୟାଟ୍ରିକ୍ କରିବା ଦିଗରେ ଅଗ୍ରସର ହେଉଛନ୍ତି। ରାମ ମନ୍ଦିର ନିର୍ମାଣ ପରେ ଯେଉଁ ଭାବନା ସୃଷ୍ଟି ହୋଇଛି ତାହା ଲକ୍ଷ୍ନୌରେ ରାଜନାଥ ସିଂହଙ୍କ ଯାତ୍ରାକୁ ସୁଗମ କରିଦେଇଥିବା କୁହାଯାଉଛି ।

ସେହିଭଳି ଫୈଜାବାଦ ଲୋକସଭା ଆସନ ହେଉଛି ସେହି ଆସନ ଯାହା ଉପରେ ସାରା ଦେଶର ନଜର ରହିଛି । ଅଯୋଧ୍ୟା ଫୈଜାବାଦ ଅଧୀନରେ ରହିଛି। ୨୦୧୪ ନିର୍ବାଚନରେ ବିଜେପି ନେତା ଲଲ୍ଲୁ ସିଂହ କଂଗ୍ରେସଠାରୁ ଏହି ଆସନ ଛଡ଼ାଇ ନେଇଥିଲେ। ୨୦୧୯ ନିର୍ବାଚନରେ ଲଲ୍ଲୁ ସିଂହଙ୍କୁ ୪୯ ପ୍ରତିଶତ ଭୋଟ୍ ମିଳିଥିଲା। କୈସରଗଞ୍ଜରେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିଶ୍ୱସନୀୟତା ବିପଦରେ ରହିଥିବାରୁ ଏହି ଆସନ ମଧ୍ୟ ଚର୍ଚ୍ଚାରେ ରହିଛି । ବିଜେପି ଏଠାରେ ବ୍ରିଜଭୂଷଣଙ୍କ ପୁଅକୁ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର