ନୂଆଦିଲ୍ଲୀ: ବିହାରର ନୀତୀଶ କୁମାର ଏବଂ ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ନୂଆ ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ଚଳିତ ନିର୍ବାଚନରେ ନୀତୀଶ ତାଙ୍କ ବରିଷ୍ଠ ସହଯୋଗୀ ବିଜେପିକୁ ପଛରେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ନାଇଡୁଙ୍କୁ ଫୋନ୍ କରି ଭୋଟ୍ ଫଳାଫଳ ଉପରେ ଆଲୋଚନା କରିଛନ୍ତି।

Advertisment

କାହାକୁ ସମର୍ଥନ କରିବେ ନୀତୀଶ ଓ ନାଇଡୁ?
ସମସ୍ତଙ୍କ ମୁହଁରେ ପ୍ରଶ୍ନ ଉଠୁଛି- ଏନ୍‌ଡିଏ ସରକାରକୁ ହଟାଇବା ପାଇଁ ଆବଶ୍ୟକ ସଂଖ୍ୟା ଇଣ୍ଡି ମେଣ୍ଟକୁ ଦେବାରେ ଏହି ଦୁଇ ବରିଷ୍ଠ ନେତା ସହାୟକ ହୋଇପାରିବେ କି? ତେବେ ଏହି ଦୁଇ ଆଞ୍ଚଳିକ ନେତା ଏନ୍‌ଡିଏର ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ଇଣ୍ଡି ମେଣ୍ଟ ଶକ୍ତିଶାଳୀ ହେବା ସହିତ ପ୍ରତି ଘଣ୍ଟାରେ ଅଧିକ ମେଣ୍ଟ ସମ୍ଭାବନା ସୃଷ୍ଟି ହେଉଛି, ଟିଭି ଷ୍ଟୁଡିଓରେ ଖୋଲାଖୋଲି ଆଲୋଚନା ହେଉଛି ଏବଂ ରାଜନୈତିକ ଦଳଗୁଡ଼ିକରେ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା ହେଉଛି। ଦଳ ବଦଳାଇବାରେ ନୀତୀଶଙ୍କ ଟ୍ରାକ୍ ରେକର୍ଡ ଅତୁଳନୀୟ। ନିର୍ବାଚନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା ଖବର ସାମ୍ନାକୁ ଆସିଥିଲା। ପାଟନା ଓ ବିହାରର ଅନ୍ୟ ସହରରେ ପ୍ରଧାନମନ୍ତ୍ରୀ ମୋଦୀ ରାଲି କରୁଥିବା ବେଳେ ମଧ୍ୟ ତାଙ୍କୁ ଅନେକ ସମୟରେ ପ୍ରମୁଖ ରାଲିରେ ଦେଖିବାକୁ ମିଳିନଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ସବୁ କିଛି ବଦଳିଯାଇଛି। ଜେଡିୟୁ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ଭୂମିକା ଗ୍ରହଣ କରିବ କି (?) ବୋଲି ପ୍ରଶ୍ନ ହେଉଛି।

ନୀତୀଶ କେଉଁ ଦିଗକୁ ଢଳିବେ ତାହା କହିବା ମୁସ୍କିଲ। ତେବେ ଦଳର ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ବିହାରର ଏହି ବରିଷ୍ଠ ନେତା ଏଥର ଦଳ ବଦଳାଇବେ ନାହିଁ। ଜେଡିୟୁର ନୀରଜ କୁମାର କହିଛନ୍ତି, ଆମେ ଏନ୍‌ଡିଏ ସହ ରହିବୁ। ବିହାରର ଅନ୍ୟ ଜଣେ ବରିଷ୍ଠ ରାଜନୈତିକ ପର୍ଯ୍ୟବେକ୍ଷକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସୁଦୂର ଦିଲ୍ଲୀରେ ବସି ନୀତୀଶ କୁମାରଙ୍କ ଭଳି ନେତାଙ୍କ ରାଜନୈତିକ ଶକ୍ତିକୁ କେହି ଠଉରେଇପାରିବେ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ନୀତୀଶଙ୍କୁ ଏବେ ଉଭୟ କଂଗ୍ରେସ ଓ ବିଜେପି ନିଜ ଆଡ଼କୁ ଟାଣୁଛନ୍ତି। ନୀତୀଶଙ୍କୁ ଏନ୍‌ଡିଏ ଆବାହକ ପଦ ଯାଚୁଛି। ବିହାରର ୯ ଥର ମୁଖ୍ୟମନ୍ତ୍ରୀ ଥିବା ନୀତୀଶ ଏବେ ଭାରତୀୟ ରାଜନୀତିକୁ ଆଉ ଏକ ନୂଆ ମୋଡ଼ ଦେଇପାରନ୍ତି।

ଆନ୍ଧ୍ରପ୍ରଦେଶରେ ଏକଦା ସିଇଓ-ସିଏମ୍ ଭାବେ ପରିଚିତ ଚନ୍ଦ୍ରବାବୁ ନାଇଡୁ ଏବେ ବଡ଼ ବିଜୟ ହାସଲ କରିଛନ୍ତି। ୨୦୦୦ ଦଶକ ପ୍ରାରମ୍ଭରେ ଆଇଟି ଓ ଡିଜିଟାଲ ଟେକ୍ନୋଲୋଜିକୁ ସାଧାରଣ ପ୍ରଶାସନ କ୍ଷେତ୍ରକୁ ଆଣିଥିବା ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନାଇଡ଼ୁ। କେନ୍ଦ୍ରରେ ସରକାର ଗଠନରେ ମଧ୍ୟ ତାଙ୍କର ଭୂମିକା ରହିପାରେ। କିମ୍ବଦନ୍ତୀ ଅଭିନେତାରୁ ରାଜନେତା ପାଲଟିଥିବା ଏନ୍‌ଟି ରାମାରାଓଙ୍କ ଜ୍ୱାଇଁ ଚନ୍ଦ୍ରବାବୁ ରାଜ୍ୟସ୍ତରୀୟ ଓ ଜାତୀୟ ରାଜନୀତିରେ ବିଭିନ୍ନ ଜାତୀୟ ଦଳ ସହ ରାଜନୈତିକ ମଞ୍ଚ ସେୟାର କରିଛନ୍ତି। ଦେଖିବାକୁ ବାକି ରହିଲା ସେ ନିଜକୁ, ନିଜ ପରିବାରକୁ ଓ ଟିଡିପିକୁ ନୂଆଦିଲ୍ଲୀରେ କେନ୍ଦ୍ରୀୟ ଭୂମିକାକୁ ଆଣିବେ କି ନାହିଁ। ରାଜ୍ୟ ବିଧାନସଭାରେ ବିପୁଳ ବିଜୟ ହାସଲ କରିଥିବା ନାଇଡ଼ୁଙ୍କ ଉପରେ ଏଥର ରାଜ୍ୟବାସୀ ପୂର୍ଣ୍ଣ ଭରସା କରିଛନ୍ତି। ଜଗନମୋହନ ରେଡ୍ଡୀଙ୍କ ଶାସନକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଟିଡିପି-ବିଜେପି-ଜନସେନା ମେଣ୍ଟକୁ ବିପୁଳ ସମର୍ଥନ କରିଛନ୍ତି।