ଗାଜିଆବାଦ: ଗାଜିଆବାଦର ଦାସନା ଅଞ୍ଚଳର ଜଗଦମ୍ବା ମହାକାଳୀ ମନ୍ଦିରର ମହନ୍ତ ହେଉଛନ୍ତି ଯତି ନରସିଂହାନନ୍ଦ ଗିରି। ପ୍ରାୟତଃ ନିଜ ବକ୍ତବ୍ୟ ପାଇଁ ସେ ବିବାଦରେ ଫସି ରହିଥାନ୍ତି। ଗତ ବର୍ଷ, ସେ ପୈଗମ୍ବର ମହମ୍ମଦଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହା ଫଳରେ ମୁସଲିମ୍ ସମ୍ପ୍ରଦାୟର ସଦସ୍ୟମାନଙ୍କ ମଧ୍ୟରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ଦୃଢ଼ ପଦକ୍ଷେପ ନେବା ପରେ, ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ବିଷୟରେ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
ଯତି ନରସିଂହାନନ୍ଦ ଗିରି ଏବେ ଭବିଷ୍ୟତରେ କେବେ ବି ବିଜେପି, ମୁଖ୍ୟମନ୍ତ୍ରୀ ଯୋଗୀ କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ କିଛି ନ କହିବାକୁ ଶପଥ ନେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ରବିବାର ରାତିରେ ଦାସନାର ଜଗଦମ୍ବା ମହାକାଳୀ ମନ୍ଦିର ପରିଦର୍ଶନ କରିଥିଲେ। ଗସ୍ତ ସମୟରେ, ସେ ମନ୍ଦିରର ମହନ୍ତ ଯତି ନରସିଂହାନନ୍ଦ ଗିରିଙ୍କ ସହିତ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା ପରେ ନରସିଂହାନନ୍ଦ ଗିରି କ୍ୟାମେରା ସମ୍ମୁଖରେ କହିଥିଲେ, ଗିରିରାଜ ସିଂହଙ୍କୁ ସାକ୍ଷୀ ରଖି ମୁଁ ଶପଥ ଗ୍ରହଣ କରୁଛି ଯେ, ଆଜିଠାରୁ ମୁଁ ବିଜେପି କିମ୍ବା ଏହାର ବରିଷ୍ଠ ନେତାମାନଙ୍କ ବିରୋଧରେ କିଛି କହିବି ନାହିଁ। ଗିରିରାଜ ସିଂହ ମୋତେ ଫୋନ୍ କରି ଗାଳି ଦେଇଥିଲେ, କହିଥିଲେ ଯେ, ତୁମ ଯୋଗୁ ଆମେ ଦେବୀ ମା'ଙ୍କୁ ଦର୍ଶନ ମଧ୍ୟ କରିପାରୁନାହୁଁ। ତେଣୁ, ମୁଁ ଶପଥ କରୁଛି, ଭବିଷ୍ୟତରେ ମୁଁ ଏପରି କିଛି କହିବି ନାହିଁ।
ଚଳିତ ବର୍ଷ ମାର୍ଚ୍ଚ ମାସରେ, ଯତି ନରସିଂହାନନ୍ଦ ଗିରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଗାଜିଆବାଦର ଲୋନି ଅଞ୍ଚଳରେ ଏକ କଳସ ଯାତ୍ରା ସମୟରେ ବିଧାୟକ ନନ୍ଦ କିଶୋର ଗୁର୍ଜରଙ୍କର ପୁଲିସ ଅଧିକାରୀଙ୍କ ସହ ବିବାଦ ହୋଇଥିଲା। ବିବାଦକୁ ଯତି ନରସିଂହାନନ୍ଦ ଡ଼େଇଁପଡ଼ି କହିଥିଲେ, ଯେଉଁ ପୁଲିସ ଆଜି ଜଣେ ବିଧାୟକଙ୍କ ସହିତ ଏପରି ବ୍ୟବହାର କରୁଛନ୍ତି, ସେମାନେ କାଲି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହିତ ମଧ୍ୟ ସେହିପରି କରିବେ।
ଯୋଗୀ ସବୁଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିବେ ନାହିଁ। ସେହି ଦିନ ଯୋଗୀ ଆଦିତ୍ୟନାଥଙ୍କ ସହିତ କେହି ଠିଆ ହେବେ ନାହିଁ, କାରଣ ମୁଖ୍ୟମନ୍ତ୍ରୀ ଯୋଗୀ ଆମ ସମସ୍ତଙ୍କୁ ହତ୍ୟା କରିଥିବେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟକାଳରେ, ପୁଲିସ ଦୁର୍ନୀତିଗ୍ରସ୍ତ ହୋଇଛି। ପୁଲିସ ଅଧିକାରୀମାନେ ହିନ୍ଦୁମାନଙ୍କ ଉପରେ କରିଥିବା ଅତ୍ୟାଚାର ଅନ୍ୟ କୌଣସି ସରକାରଙ୍କ ଅମଳରେ ଘଟି ନଥିଲା।
ଯତି ନରସିଂହାନନ୍ଦ ଗିରି ବିଜେପିରେ ମହିଳାମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତାଙ୍କ ମନ୍ତବ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ଫଳରେ ବିଜେପି ନେତାମାନେ ତାଙ୍କ ବିରୋଧରେ ଏଫଆଇଆର ଦାବି କରିଥିଲେ। ନରସିଂହାନନ୍ଦଙ୍କ ଭିଡିଓକୁ ଦିଲ୍ଲୀ ବିଜେପି ନେତା ତାଜିନ୍ଦର ପାଲ ବଗା ଉତ୍ତର ପ୍ରଦେଶ ପୁଲିସ ଏବଂ ଜାତୀୟ ମହିଳା କମିସନଙ୍କୁ ଟ୍ୟାଗ୍ କରିଥିଲେ। ପରେ, ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ନରସିଂହାନନ୍ଦ ଗିରିଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/29/will-not-say-anything-about-bjp-yogi-modi-narasimhananda-takes-oath-2025-09-29-15-12-27.jpg)