କୃଷକ ଆନ୍ଦୋଳନ ପଛରେ ଖଲିସ୍ତାନୀ ହାତ ଥିବାର ପ୍ରମାଣ ଉପସ୍ଥାପନ କରିବୁ : ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ଅବସାନ ପାଇଁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ କୋର୍ଟ ଆଜି କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ କୃଷକ ଆନ୍ଦୋଳନ ସଂପର୍କରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସୁପ୍ରିମ କୋର୍ଟରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର।

ମାମଲାର ଶୁଣାଣି କାଳରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ କୋର୍ଟଙ୍କୁ କହିଛନ୍ତି ଯେ ଏହି ତଥାକଥିତ କୃଷକ ଆନ୍ଦୋଳନକୁ ଏବେ ନିଷିଦ୍ଧ  ବିଚ୍ଛିନ୍ନତାବାଦୀ ସଂଗଠନ ଖଲିସ୍ତାନର ସମର୍ଥକମାନେ ଅନୁପ୍ରବେଶ କରି ଆସିଛନ୍ତି। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବବଡେଙ୍କ ନେତୃତ୍ୱରେ ଜଷ୍ଟିସ୍‌ ଏସ୍‌ ବୋପାନ୍ନା ଏବଂ ଜଷ୍ଟିସ୍‌ ଭି ରାମାସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଆଟର୍ଣ୍ଣି ଜେନେରାଲ ଭେନୁଗୋପାଲ ଖଣ୍ଡପୀଠଙ୍କୁ କହିଥିଲେ ଯେ କୃଷକମାନେ ନୁହନ୍ତି ବରଂ ନିଷିଦ୍ଧ ସଂଗଠନ ଖଲିସ୍ତାନୀର ସମର୍ଥକମାନେ ଏହି ତିନିଟି କୃଷି ଆଇନ ବିରୋଧରେ କୃଷକମାନଙ୍କ ନାମରେ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଆଟର୍ଣ୍ଣି ଜେନେରାଲ ଭେନୁଗୋପାଲଙ୍କ ଏପରି ବକ୍ତବ୍ୟରେ ଆଶ୍ଚର୍ଯ୍ୟ ପ୍ରକଟ କରି ଖଣ୍ଡପୀଠ କହିଥିଲେ ଯେ ଯଦି କୃଷକ ଆନ୍ଦୋଳନ ମଧ୍ୟକୁ ନିଷିଦ୍ଧ ସଂଗଠନ ଦ୍ୱାରା ଅନୁପ୍ରବେଶ ହୋଇଥାଏ, ତେବେ ଏହାକୁ ସରକାରଙ୍କୁ ନିଶ୍ଚିତ କରିବାକୁ ପଡିବ ଏବଂ ବୁଧବାର ସୁଦ୍ଧା ଏ ସଂପର୍କରେ ଏକ ସତ୍ୟପାଠ କୋର୍ଟରେ ଦାଖଲ କରିବାକୁ ଆଟର୍ଣ୍ଣି ଜେନେରାଲଙ୍କୁ କହିଥିଲେ। ଏହାର ଉତ୍ତରରେ ଆଟର୍ଣ୍ଣି ଜେନେରାଲ ଖଣ୍ଡପୀଠଙ୍କୁ କହିଥିଲେ, ‘‘ହଁ, ମୁଁ ଏକ ସତ୍ୟପାଠ (ଆଫିଡେଭିଟ୍‌) ଦାଖଲ କରିବି ଏବଂ ଏ ସଂକ୍ରାନ୍ତରେ ଗୁଇନ୍ଦା ବିଭାଗ (ଆଇବି)ର ରିପୋର୍ଟ ମଧ୍ୟ ଦାଖଲ କରିବି।’’

Image Courtesy of New Indian Express

ଆଟର୍ଣ୍ଣି ଜେନେରାଲଙ୍କଠାରୁ ଏ ପ୍ରକାର ଉତ୍ତର ଶୁଣିବା ପରେ ଖଣ୍ଡପୀଠ ତାଙ୍କୁ ପଚାରିଥିଲେ, ‘ଆପଣ ଯାହା କହୁଛନ୍ତି, ତାହା ନିଶ୍ଚିତ କରି ପାରିବେ କି’? ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ଆମେ କହିଛୁ ଯେ ନିଷିଦ୍ଧ ସଂଗଠନ ଖଲିସ୍ତାନର ସଦସ୍ୟମାନେ ଏହି ପ୍ରତିବାଦ ମଧ୍ୟକୁ ଅନୁପ୍ରବେଶ କରିଛନ୍ତି, ଯାହାର ପ୍ରମାଣ ସରକାରଙ୍କ ନିକଟରେ ଅଛି। ସେ ଆହୁରି ମଧ୍ୟ କହଥିଲେ ଯେ କୃଷି ଆଇନକୁ ବିରୋଧରେ ବିରୋଧ କରୁଥିବା ଏକ ଲକ୍ଷ ଲୋକଙ୍କୁ ଜାତୀୟ ରାଜଧାନୀରେ ପ୍ରବେଶ କରିବାକୁ ସରକାର ଅନୁମତି ଦେଇ ପାରିବେ ନାହିଁ।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ ଆଟର୍ଣ୍ଣି ଜେନେରାଲଙ୍କୁ ଆହୁରି ପଚାରିଥିଲେ, ଆନ୍ଦୋଳନକାରୀଙ୍କ ସଂଖ୍ୟା ଯାଞ୍ଚ କରିବା ଏବଂ ସେମାନେ ସଶସ୍ତ୍ର ଅଛନ୍ତି କି ନାହିଁ, ଏବଂ ସେମାନଙ୍କ ମଧ୍ୟକୁ ନିଷିଦ୍ଧ ସଂଗଠନର ସଦସ୍ୟଙ୍କର ଅନୁପ୍ରବେଶ ହୋଇଛି କି ନାହିଁ ତାହା ଦେଖିବା ସରକାରଙ୍କର ଦାୟିତ୍ୱ ଓ କ୍ଷମତା ନୁହେଁ କି ? ଏହାର ଉତ୍ତର ଦେବାକୁ ଯାଇ ଆଟର୍ଣ୍ଣି ଜେନେରାଲ ଦୋହରାଇଥିଲେ ଯେ ଅନୁପ୍ରବେଶ ନେଇ ସରକାରଙ୍କ ନିକଟରେ ଗୁଇନ୍ଦା ବିଭାଗର ରିପୋର୍ଟ ଅଛି। ଶୁଣାଣି ଶେଷ ହେବା ପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ପ୍ରଥମ ଦିନରୁ ସରକାର କହୁଛନ୍ତି ଯେ ଚାଷ ଆଇନକୁ ନେଇ ଆଶଙ୍କା ବ୍ୟାପିବା ଏବଂ କୃଷକମାନଙ୍କୁ ବିଭ୍ରାନ୍ତ କରିବା ପଛରେ ନିଷିଦ୍ଧ ସଂଗଠନର ସମର୍ଥନ ଓ ପ୍ରେତ୍ସାହନ ରହିଛି।

ଆଜିର ଶୁଣାଣି ପରେ ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ଆଜି ଏହି ନୂତନ କୃଷି ଆଇନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ଏକ ଚାରି ଜଣିଆ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଏହି କମିଟି ନୂଆ ଆଇନ, କୃଷକମାନଙ୍କ ଆପତ୍ତି ଅଭିଯୋଗ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ। ଯେଉଁମାନେ ଏହି ସମସ୍ୟାର ସମାଧାନ ଚାହାନ୍ତି ସେମାନେ ନିଜର ସମସ୍ୟାକୁ ନେଇ କମିଟି ନିକଟକୁ ଯିବା ଉଚିତ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବବଡ଼େ କହିଛନ୍ତି ଯେ ଏହି କମିଟି ପ୍ରକୃତ ସମସ୍ୟା କେଉଁଠି ରହୁଛି ତାହା ବାହାର କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଚଳାବସ୍ଥାକୁ ଦୂର ପାଇଁ ଆଇନକୁ ସାମୟିକ ଭାବେ ସ୍ଥଗିତ ରଖା ଯାଇପାରେ, କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ଅଟକାଇ ହେବ ନାହିଁ। ଏଣୁ ଯେଉଁମାନଙ୍କର ଆଇନକୁ ନେଇ ଆପତ୍ତି ଅଛି, ସେମାନେ କମିଟି ନିକଟକୁ ଯାଆନ୍ତୁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର