୨୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ, ମନ୍ତ୍ରିମଣ୍ଡଳ ଗଠନ ପାଇଁ କସରତ୍‌ ଆରମ୍ଭ

ମନ୍ତ୍ରିମଣ୍ଡଳରେ ରହିବେ ୩୩ ମନ୍ତ୍ରୀ; କଂଗ୍ରେସର ଉପମୁଖ୍ୟମନ୍ତ୍ରୀ ସମେତ ୨୦ ମନ୍ତ୍ରୀ, ଜେଡିଏସର ୧୩ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମାତ୍ର ଅଢ଼େଇ ଦିନରେ ୟେଦୁରପ୍ପା ସରକାରର ପତନ ହୋଇଛି। ୟେଦୁରାପ୍ପାଙ୍କ ଇସ୍ତଫା ପରେ ରାଜ୍ୟରେ ଜେଡିଏସ୍‌ ଓ କଂଗ୍ରେସର ମିଳିତ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଜେଡିଏସ୍‌ ଓ କଂଗ୍ରେସର ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଥିବା ଜେଡିଏସ୍‌ର ନେତା ଏଚ୍‌ ଡି କୁମାରସ୍ୱାମୀଙ୍କୁ ଗତକାଲି ସନ୍ଧ୍ୟାରେ ରାଜ୍ୟପାଳବାଜୁଭାଇ ଭଲ୍ଲା ରାଜଭବନକୁ ଡାକିବା ସହ ରାଜ୍ୟରେ ସରକାର ଗଠନ କରିବାକୁ ନିମନ୍ତ୍ରଣ ଦେଇଛନ୍ତି। କୁମାରସ୍ୱାମୀ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ସେ ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ବିଧାନସଭାରେ ନିଜ ସରକାରର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ।

ଆସନ୍ତା ୨୩ ତାରିଖ ବୁଧବାର ଦିନ କୁମାରସ୍ୱାମୀ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସ୍ଥିର ହୋଇଛି। ପୂର୍ବରୁ ୨୧ ତାରିଖ ଦିନ କୁମାରସ୍ୱାମୀ ଶପଥ ନେବେ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ସେହିଦିନ ପଡ଼ୁଥିବାରୁ କୁମାରସ୍ୱାମ୍ବୀଙ୍କ ଶପଥ ଗ୍ରହଣକୁ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ, କୁମାରସ୍ୱାମୀଙ୍କ ମିଳିତ ମନ୍ତ୍ରିମଣ୍ଡଳର ରୂପରେଖ କଣ ହେବ ସେ ନେଇ ଏବେ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଆଧାରରେ, କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ମୋଟ ୩୩ ଜଣ ମନ୍ତ୍ରୀ ରହିବେ। ମନ୍ତ୍ରିମଣ୍ଡଳରେ କଂଗ୍ରେସର ଉପମୁଖ୍ୟମନ୍ତ୍ରୀ ସମେତ ୨୦ ଜଣ ଓ ଜେଡିଏସର୧୩ ଜଣ ମନ୍ତ୍ରୀ ରହିବେ। ଉପମୁଖ୍ୟମନ୍ତ୍ରୀ ରେସରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପରମେଶ୍ୱର ସବୁଠାରୁ ଆଗରେ ଅଛନ୍ତି। ସେହିପରି ୟେଦୁରାପ୍ପା ସରକାରର ପତନରେ ମୁଖ୍ୟ ଭୂମିକା ନେଇଥିବା କଂଗ୍ରେସର ଡି.କେ. ଶିବକୁମାର ଶକ୍ତିମନ୍ତ୍ରୀ ହୋଇପାରନ୍ତି। ସିଦ୍ଧରମେୟା ସରକାରରେ ବି ସେ ଶକ୍ତିମନ୍ତ୍ରୀ ଥିଲେ। ଆଗକୁ ଯେଭଳି ମେଣ୍ଟ ମଧ୍ୟରେ କୌଣସି ମତଭେଦ ନ ହୁଏ ସେଥିପାଇଁ ଦୁଇଦଳ ମଧ୍ୟରେ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ଜାଣିବାକୁ ମିଳିଛି। ତେବେ, ମନ୍ତ୍ରିମଣ୍ଡଳର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ପୂର୍ବରୁ ଆସନ୍ତା କାଲି କଂଗ୍ରେସ ଉପଦେଷ୍ଟା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା ପାଇଁ କୁମାରସ୍ୱାମୀ ଦିଲ୍ଲୀ ଗସ୍ତରେ ଯାଉଥିବା ଜଣାପଡ଼ିଛି।


 

ସମ୍ବନ୍ଧିତ ଖବର