ପାକିସ୍ତାନ ଏଫ୍‌ଏଟିଏଫ୍‌ର ସର୍ତ୍ତପୂରଣ କରୁନାହିଁ, ତା’ଉପରେ ଚାପ ପ୍ରୟୋଗ କରିବାକୁ ପଡ଼ିବ : ଫ୍ରାନ୍ସ

ନୂଆଦିଲ୍ଲୀ : ପାକିସ୍ତାନ ଯେପରି ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ସବୁ ସର୍ତ୍ତ ପୂରଣ କରେ ସେନେଇ ତା ଉପରେ ଚାପ ପ୍ରୟୋଗ କରାଯିବ ବୋଲି ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲିନାନ କହିଛନ୍ତି । ସେ କହିଛନ୍ତି ପାକିସ୍ତାନ ଏଫଏଟିଏଫର କୌଣସି ସର୍ତ୍ତକୁ ପାଳନ କରୁଛି ବୋଲି କେହି ବିଶ୍ୱାସ କରୁନାହାନ୍ତି । ଆମେ ତାହାକୁ ବେଶ ଗୁରୁତ୍ୱର ସହ ନେଉଛୁ , ଓ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବୁ । ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପାକିସ୍ତାନ ସର୍ତ୍ତ ପାଳନ କରୁଛି କି ନା ତାହା ଫେବ୍ରୁଆରୀରେ ସ୍ପଷ୍ଟ ହୋଇଯିବ ।

ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଏଫଏଟିଏଫ ଗତ ବର୍ଷଠାରୁ ଗ୍ରେ (ଧୂଷର) ତାଲିକାରେ ରଖିଛି । ଗତ ଅକ୍ଟୋବର ମାସରେ ହୋଇଥିବା ଏଫଏଟିଏଫ୍‌ ପ୍ଲାନେରୀ ବୈଠକରେ ମଧ୍ୟ ଏହି ଗ୍ରେ ମାନ୍ୟତାକୁ ବଜାୟ ରଖାଯାଇଥିଲା ଓ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେବ୍ରୁଆରୀ, ୨୦୨୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଗତ ଜୁନରେ ହୋଇଥିବା ଆମେରିକାର ଓରଲାଣ୍ଡୋଠାରେ ଅନୁଷ୍ଠିତ ଏଫଏଟିଏଫ୍‌ ବୈଠକରେ ପାକିସ୍ତାନକୁ ୨୭ ସୁତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ସେପ୍ଟେମ୍ବର ସୁଦ୍ଧା ସମୟ ଦିଆଯାଇଥିଲା । କିନ୍ତୁ ଏହିୁ ୨୭ ସୁତ୍ରୀ କାର୍ଯ୍ୟ କରିବାରେ ପାକିସ୍ତାନ ବିଫଳ ହୋଇଥିଲା । ଫଳରେ ପାକିସ୍ତାନକୁ ଚେତାବନୀ ଦିଆଯାଇ ଫେବ୍ରୁଆରୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

ସମ୍ବନ୍ଧିତ ଖବର